fbpx

‘ଆପଣ ଏତେ ସୁନ୍ଦର!’ ଜଣେ ମହିଳା MLAଙ୍କୁ ଏପରି କମେଣ୍ଟ କଲେ ବିହାର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ‘ଆପଣ ଏତେ ସୁନ୍ଦର!’ ରାଜ୍ୟର ଜଣେ ମହିଳା ବିଧାୟକଙ୍କୁ ଏପରି କମେଣ୍ଟ କରି ବିବାଦରେ ଫସିଯାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର । ବିଧାନସଭା ଶୀତକାଳୀନ ଅଧିବେଶନ ଅବସରରେ ଏନଡିଏ ବିଧାୟକ ବୈଠକ ଡକାଯାଇଥିଲା । ଏହି ସମୟରେ ନୀତିଶ ବିଜେପିର ଜଣେ ଆଦିବାସୀ ଏମଏଲଏଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଥିଲେ ।

ଜଣାପଡ଼ିଛି ଯେ, ଶରାବବନ୍ଦୀକୁ ନେଇ ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ଦେଉଥିବା ସମୟରେ ଏମଏଲଏ ନିକ୍କୀ ହେମ୍ବ୍ରମ୍ ମହୁଆ କ୍ଷେତରେ କାର୍ଯ୍ୟରତ ଲୋକଙ୍କ ରୋଜଗାର ମୁଦ୍ଦା ଉଠାଇଥିଲେ । ଏହାପରେ ନୀତିଶ କହିଥିଲେ, ‘ଆପଣ ଏତେ ସୁନ୍ଦର, ଆପଣଙ୍କୁ କ’ଣ ଜଣାନାହିଁ ଆମେ ଆଦିବାସୀଙ୍କ ପାଇଁ କ’ଣ କ’ଣ କରିଛୁ?’ ଏପରି ଆପତ୍ତିଜନକ କମେଣ୍ଟ ପରେ ଏବେ ନୀତିଶ ବିବାଦରେ ଫସିଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏପରି ଅଶୋଭନୀୟ ଟିପ୍ପଣୀକୁ ନେଇ ବିଧାୟିକା ହେମ୍ବ୍ରମ୍ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଏପରି ଅଶାଳୀଳ ଆଚରଣରେ ସେ ବହୁତ ଦୁଃଖିତ । ସେ ଏନେଇ ବିଜେପିର ହାଇକମାଣ୍ଡଙ୍କୁ ଅବଗତ କରିଛନ୍ତି । ତେବେ ନୀତିଶଙ୍କ ସପକ୍ଷରେ ଜେଡିୟୁ ନେତା ଲେସୀ ସିଂହ କହିଛନ୍ତି ଯେ, ବିଜେପି ମହିଳା ବିଧାୟକଙ୍କର କିଛି କନଫ୍ୟୁଜନ ହୋଇଯାଇଛି । ବିଧାୟିକାଙ୍କୁ ଅପମାନିତ କରିବା ନୀତିଶଙ୍କର ଉଦ୍ଦେଶ୍ୟ ନଥିଲା । ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ବହୁତ ସମ୍ମାନ କରନ୍ତି ବୋଲି ସେ କହିଛନ୍ତି । ତେବେ ଏହି ଅବସରରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କୁ ଝିଅ ରୋହିଣୀ ଆଚାର୍ଯ୍ୟ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କ ଉପରେ ହମଲା କରିଛନ୍ତି ।

Get real time updates directly on you device, subscribe now.