fbpx

କରାଚୀରେ ପହଞ୍ଚିଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍: ୨ ଦେଶ ମଧ୍ୟରେ ଖେଳାଯିବ ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍

କରାଚୀ:ପାକିସ୍ତାନ ବିପକ୍ଷ ସୀମିତ ଓଭର ସିରିଜ ଖେଳିବା ପାଇଁ ଗୁରୁବାର ଦିନ ବନ୍ଦର ନଗରୀ କରାଚୀରେ ପହଞ୍ଚିଛି ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ । ନିକଟରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନ ଗସ୍ତରେ ଆସିଥିବା ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ପ୍ରଥମ ମ୍ୟାଚ ଖେଳିବାର ଅବ୍ୟବହିତ ପୂର୍ବରୁ ସୁରକ୍ଷା ଆଶଙ୍କା କାରଣ ଦର୍ଶାଇ ହଠାତ ପାକିସ୍ତାନ ଛାଡି ପଳାଇ ଯିବା ପରେ ଏକ ଖରାପ ପରିସ୍ଥିତି ସୃଷ୍ଟି ହୋଇଥିଲା ।ସେହିପରି ନ୍ୟୁଜିଲାଣ୍ଡର ପଦାଙ୍ଗ ଅନୁସରଣ କରି ଇଂଲଣ୍ଡର ପୁରୁଷ ଓ ମହିଳା କ୍ରିକେଟ ଦଳ ମଧ୍ୟ ପାକିସ୍ତାନ ବିପକ୍ଷ ସିରିଜ ଖେଳିବା ପାଇଁ ମନା କରି ଦେଇଥିଲା । ତେଣୁ ପାକିସ୍ତାନ କ୍ରିକେଟ ବୋର୍ଡ ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲା । ତେବେ ଏହି ସ୍ଥିତାବସ୍ଥାରେ ସୁଧାର ଆଣିବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଉଦ୍ୟମ ଜାରି ରଖିଥିବା ବେଳେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ଉପରେ ଅଧିକ ଗୁରୁତ୍ୱ ଦେଉଛି ।

ଗୁରୁବାର ଦିନ ୱେଷ୍ଟଇଣ୍ଡିଜ ଦଳ କରାଚୀ ବିମାନ ବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆ ଯାଇଥିଲା । ଆସନ୍ତା ସୋମବାର ଠାରୁ ଆରମ୍ଭ ହେବ ପାକିସ୍ତାନ- ୱେଷ୍ଟଇଣ୍ଡିଜ ସିରିଜ । ଦୁଇ ଦେଶ ମଧ୍ୟରେ ତିନି ଦିନିକିଆ ଓ ତିନି ଟି-୨୦ ମ୍ୟାଚ ଅନୁଷ୍ଠିତ ହେବ । ପୁଣି ସୂଚାଇ ଦିଆଯାଇ ପାରେ ଯେ ୨୦୦୯ରେ ଶ୍ରୀଲଙ୍କା କ୍ରିକେଟ ଦଳ ପାକିସ୍ତାନ ଗସ୍ତରେ ଯାଇଥିବା ବେଳେ ଲାହୋର ସ୍ଥିତ୍‌ ଗଦାଫି ଷ୍ଟାଡିୟମ ନିକଟରେ ଆତଙ୍କବାଦୀଙ୍କ ଆକ୍ରମଣର ଶୀକାର ହୋଇଥିଲେ । ସେହି ଦିନ ଠାରୁ କୌଣସି ବିଦେଶୀ ଦଳ ନିର୍ଭୟରେ ପାକିସ୍ତାନ ଗସ୍ତରେ ଯାଇ ପାରୁନି । ତେଣୁ ଏହି ସ୍ଥିତାବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ବରାବର ଉଦ୍ୟମ ଚଳାଇବା ସହ ଧୀରେଧୀରେ ବିଦେଶୀ ଦଳକୁ ଆମନ୍ତ୍ରଣ କରି ଦ୍ୱିପ।କ୍ଷିକ ସିରିଜ ଖେଳିବା ପାଇଁ ପ୍ରୟାସ କରୁଛି ।

Get real time updates directly on you device, subscribe now.