fbpx

କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇବା ପ୍ରସଙ୍ଗ: ପିଲା ଦିନର କୋଚ୍‌ ରାଜକୁମାରଙ୍କ ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ: ବିରାଟ କୋହଲିଙ୍କୁ ଯେଉଁ ଢ଼ଙ୍ଗରେ ଦିନିକିଆ ଅଧିନାୟକ ପଦରୁ ହଟାଗଲା ତାହା ଅତ୍ୟନ୍ତ ଅଶୋଭନୀୟ ବୋଲି କହିଛନ୍ତି କୋହଲିଙ୍କ ପିଲାଦିନର କୋଚ ରାଜକୁମାର ଶର୍ମା । ଏହି ପ୍ରସଙ୍ଗ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ରାଜକୁମାର କହିଛନ୍ତି ଯେ କୋହଲି ବ୍ୟକ୍ତିଗତ କାରଣ ନେଇ ଟି-୨୦ ଫର୍ମାଟ ଅଧିନାୟକ ପଦରୁ ଦୂରେଇ ଯିବା ପାଇଁ ଇଛା ପ୍ରକାଶ କରିଥିଲେ । ତେଣୁ ରୋହିତ ଶର୍ମାଙ୍କୁ ଏହି ଦାୟିତ୍ୱ ଦିଆଗଲା । ତେବେ ସେ ଦିନିକିଆ ଓ ଟେଷ୍ଟ କ୍ରିକେଟ ଅଧିନାୟକ ପଦ ବଜାୟ ରଖିବାକୁ ଆଗ୍ରହୀ ଥିଲେ । ମାତ୍ର କୌଣସି କାରଣ ନ ଥାଇ କୋହଲିଙ୍କ ପରି ଜଣେ ସଫଳ ଅଧିନାୟକ ଓ ବ୍ୟାଟରଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇ ଦେବା ଅତ୍ୟନ୍ତ ପରିତାପର ବିଷୟ । କାରଣ ବିସିସିଆଇ ଏହି ନିଷ୍ପତ୍ତି ନେବା ପୂର୍ବରୁ କୋହଲିଙ୍କ ସହିତ କୌଣସି ଯୋଗାଯୋଗ ମଧ୍ୟ କଲେ ନାହିଁ ।

ମାତ୍ର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପରେ କହିଥିଲେ ଯେ କେହଲିଙ୍କୁ ଆମେ ୪୮ ଘଣ୍ଟା ସମୟ ଦେଇ ଏହି ପ୍ରସଙ୍ଗ ଉପରେ ନିଜର ମତ ରଖିବାକୁ କହିଥିଲୁ । ବାସ୍ତବିକ ଗାଙ୍ଗୁଲିଙ୍କ ଏହି ମନ୍ତବ୍ୟ କେତେଦୂର ସତ୍ୟ ତାହା ବୁଝା ପଡୁନି । ପୁଣି ଗାଙ୍ଗୁଲି କହିଛନ୍ତି ଯେ ଟି- ୨୦ ଓ ଦିନିକିଆ ପାଇଁ ଦୁଇ ଜଣ ଅଧିନୟେକ ନିଯୁକ୍ତି ସପକ୍ଷରେ ବିସିସିଆଇ ନ ଥିଲା । ତେଣୁ କୋହଲି ଟି- ୨୦ ଅଧିନାୟକ ପଦ ଛାଡିବା ପାଇଁ କହିବା ବେଳେ ତାଙ୍କୁ ସେତେବେଳେ ଦିନିକିଆ ଅଧିନାୟକ ପଦରୁ ମଧ୍ୟ ଦୂରେଇ ଦେବା ଉଚିତ ଥିଲା । ମାତ୍ର କିଛି ଦିନ ଅନ୍ତରରେ କୌଣସି ସୂଚନା କିମ୍ବା ଆଲେଚନା ନ କରି ବିସିସିଆଇ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇବା ପଛରେ ଦଳ ମ୍ୟାନେଜମେଣ୍ଟ ଓ ଚୟନକର୍ତ୍ତାଙ୍କର କଣ କାରଣ ଥାଇପାରେ ତାହା ଜଣା ପଡୁନି ବୋଲି ରାଜକୁମାର କହିଛନ୍ତି ।

Get real time updates directly on you device, subscribe now.