ଏଣିକି ବିଶ୍ୱବିଦ୍ୟାଳୟ ଓ କଲେଜରେ ଅଫଲାଇନରେ ହେବ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ସ୍ଥିତିରେ ସୁଧାର ଆସିଥିବାରୁ ଏଣିକି ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସେମିଷ୍ଟର ପରୀକ୍ଷା ଅଫଲାଇନରେ କରାଯିବ । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

କୋଭିଡ-୧୯ କଟକଣା ମଧ୍ୟରେ ବିଶ୍ୱବିଦ୍ୟାଳୟ ଓ କଲେମାନଙ୍କରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଜାରି ରହିଛି । ତେଣୁ ନିଜ ସେଣ୍ଟରରେ ଛାତ୍ରଛାତ୍ରୀଙ୍କର ଅଫଲାଇନ ପରୀକ୍ଷା କରାଇବାରେ କୌଣସି ସମସ୍ୟା ରହିବ ନାହିଁ । ବର୍ତ୍ତମାନ ଓ ଆଗକୁ ହେବାକୁ ଥିବା ସମସ୍ତ ସେମିଷ୍ଟର ପରୀକ୍ଷା କୋଭିଡ-୧୯ ଗାଇଡଲାଇନ ଅନୁଯାୟୀ ଅଫଲାଇନରେ କରାଯିବାକୁ ପରାମର୍ଶ ଦିଆଯାଇଛି । ତେବେ ପରୀକ୍ଷା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ୟୁଜିସି ସଚିବ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକୁ ଚିଠି ଲେଖି ଅବଗତ କରାଇଛନ୍ତି ।