fbpx
BSKY
BJD MC SKY
BJD YOUTH SKY

ସାଂସଦଙ୍କ ସଭାସ୍ଥଳ ନିକଟରେ ଫୁଟିଲା ବମ୍‌; ଜଣେ ମୃତ, ୨ ଗୁରୁତର

ହୁଗୁଳି:ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ପାଣ୍ଡୁଆ ଅଞ୍ଚଳରେ ସୋମବାର ଏକ ଦେଶୀ ବମ୍ ଫୁଟି ଜଣେ ଶିଶୁର ମୃତ୍ୟୁ ହୋଇଯାଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପିଲାଟି ଏହି ବମ୍‌କୁ ଏକ ବଲ୍ ଭାବି ଖେଳୁଥିବା ସମୟରେ ଏହା ଫାଟିଥିଲା ଓ ଏଥିରେ ତାହାର ମୃତ୍ୟୁ ହୋଇଯାଇଥିଲା । ଘଟଣାରେ ଗୁରୁତର ଜଣଙ୍କର ଡାହାଣ ହାତ ନଷ୍ଟ ହୋଇଯାଇଛି । ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀ ସୋମବାର ଏହି ଅଞ୍ଚଳରେ ନିର୍ବାଚନ ର‌୍ୟାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । ତେବେ ତାଙ୍କ ସଭାସ୍ଥଳ ଠାରୁ ମାତ୍ର କିଛି ଦୂରରେ ଏହି ଘଟଣା ଘଟିଛି । ଏହି ଘଟଣାରେ ଗୁରୁତର ଦୁଇ ବାଳକ ହେଉଛନ୍ତି ରୂପମ୍ ବଲ୍ଲଭ ଓ ସୌରଭ ଚୌଧୁରୀ । ଏମାନଙ୍କ ବୟସ ୧୧ରୁ ୧୩ ବର୍ଷ ମଧ୍ୟରେ ରହିଛି । ନିକଟବର୍ତ୍ତୀ ହସ୍ପିଟାଲରେ ଏମାନଙ୍କର ଏବେ ଚିକିତ୍ସା ଚାଲିଛି ।

ସ୍ଥାନୀୟ ସୂତ୍ର ଅନୁସାରେ ସୋମବାର ସକାଳ ପ୍ରାୟ ୮ଟା ୩୦ ମି.ସମୟରେ ପାଣ୍ଡୁଆର ତିନ୍ନା ଅଞ୍ଚଳର ଏକ ପୁଷ୍କରିଣୀରୁ ଲୋକମାନେ ଏକ ଭୟଙ୍କର ବିସ୍ପୋରଣର ଶବ୍ଦ ଶୁଣିଥିଲେ । ଲୋକମାନେ ଦୌଡି ଦୌଡି ଆସି ପୁଷ୍କରିଣୀ କୂଳରେ ପହଞ୍ଚିବା ବେଳକୁ ଦେଖିଥଲେ ୩ ଜଣ ଶିଶୁ ଗମ୍ଭୀର ଭାବରେ ଆହତ ହୋଇଛନ୍ତି । ୩ ଜଣଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ମୃତ୍ୟୁବରଣ କରି ସାରିଥିଲା । ତେବେ ସେଠାକୁ ବମ୍ କିପରି ଆସିଥିଲା ଓ କିଏ ରଖିଥିଲା ସେ ବିଷୟରେ କିଛି ସୂଚନା ମିଳିନାହିଁ ।

Get real time updates directly on you device, subscribe now.