fbpx
BSKY
BJD MC SKY
BJD YOUTH SKY

ରାଜସ୍ଥାନରେ ବି ମୁଖ୍ୟମନ୍ତ୍ରୀ ହେବେ ଜଣେ ନୂଆ ଚେହେରା? ଆସିଲା ବଡ଼ ଅପଡେଟ୍, ପୁଣି ନିରାଶ ହେବେ ଅନେକ ଆଶାୟୀ

ନୂଆଦିଲ୍ଲୀ: ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବା ପରେ ଏବେ ରାଜସ୍ଥାନ ଉପରେ ଦେଶବାସୀଙ୍କ ନଜର ରହିଛି । ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଷ୍ଣୁଦେଓ ସାଏ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ ପାଇଁ ମୋହନ ଯାଦବଙ୍କ ନାମ ବିଜେପି ହାଇକମାଣ୍ଡ ସ୍ଥିର କରିଛନ୍ତି । ଏହି ଦୁଇ ନେତା ନୂଆ ଚେହେରା ହୋଇଥିବା ବେଳେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଗୋଟି ଚାଳନା କରୁଛି । ଏଥିସହିତ ଏହି ଦୁଇ ରାଜ୍ୟରେ ଦୁଇଜଣ ଲେଖାଏଁ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଦାୟିତ୍ୱ ଗ୍ରହଣ କରିବେ ।

ତେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଆଜି ଅପରାହ୍ଣ ୪ଟା ସମୟରେ ବିଜେପିର ବିଧାୟକ ଦଳ ବୈଠକ ବସିବ । ଉକ୍ତ ବୈଠକରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । ଦଳର ରାଜ୍ୟ କାର୍ଯ୍ୟାଳୟରେ ଏହି ବୈଠକ ବସିବେ । ଏହି ଅବସରରେ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ, ବିନୋଦ ତାୱଡ଼େ ଓ ସରୋଜ ପାଣ୍ଡେ ଉପସ୍ଥିତ ରହିବେ ବୋଲି ଦଳର ରାଜ୍ୟ ସମ୍ପାଦକ ଓ ବିଧାୟକ ଭଜନଲାଲ ଶର୍ମା କହିଛନ୍ତି । ସେହିପରି ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ସମସ୍ତଙ୍କୁ ଚକିତ କରିଦେବ ବୋଲି ଦଳର ବିଧାୟକ ଅମୃତ ଲାଲ ମିଣା କହିଛନ୍ତି ।

ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇଥରର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ, ଗଜେନ୍ଦ୍ର ସିଂହ ଶେଖାୱତ, ଅଶ୍ୱିନୀ ବୈଷ୍ଣବଙ୍କ ନାମ ଚର୍ଚ୍ଚାରେ ରହିଛି । ତେବେ ଛତିଶଗଡ଼ରେ ବିଜେପି ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଥିବା ବେଳେ ମଧ୍ୟପ୍ରଦେଶରେ ଜଣେ ଓବିସି ବର୍ଗର ନେତାଙ୍କୁ ବାଛିଥିଲା । ତେଣୁ ୨୦୨୪ ଲୋକସଭା ନିର୍ବାଚନର ଭୋଟ ବ୍ୟାଙ୍କକୁ ଦୃଷ୍ଟିରେ ରଖି ବିଜେପି ରାଜସ୍ଥାନରେ ମଧ୍ୟ ସମାନ ଧରଣର ଗେମ୍ ଖେଳିପାରେ । ଗତ ୨୦୧୯ ଲୋକସଭା ନିର୍ବାଚନରେ ଦଳ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ମୋଟ ୬୫ଟି ଆସନରୁ ୬୧ଟିରେ ଜିତିଥିଲା । ତେଣୁ ପୁରୁଣା ପ୍ରଦର୍ଶନ ବଜାୟ ରଖିବାକୁ ବିଜେପି ନୂଆ ରଣନୀତି ଆପଣାଇବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ନିକଟରେ ସମାପ୍ତ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜେପିଠାରୁ ୧୦ ଲକ୍ଷ ଅଧିକ ଭୋଟ ପାଇଥିଲା । ତେଣୁ ଏହା ବିଜେପିର ଚିନ୍ତା ବଢ଼ାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଦଳ ମଧ୍ୟ କିଛି ନିଷ୍ପତ୍ତି ନେଇପାରେ ।

Get real time updates directly on you device, subscribe now.