fbpx

ଭାରତୀୟ ଦଳକୁ ବଡ ଝଟକା, ଦ. ଆଫ୍ରିକା ସିରିଜରୁ ବାଦ୍ ପଡି ପାରନ୍ତି ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପରେ ଭାରତୀୟ ଦଳ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳିବ। ଏହି ସିରିଜ ଜୁନ ୯ରୁ ଆରମ୍ଭ ହୋଇ ଜୁନ ୧୯ରେ ସରିବ। ତେବେ ଏହା ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଜୋରଦାର ଝଟକା। ଦଳର ଷ୍ଟାର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ ଆହତ କାରଣରୁ ଟି-୨୦ ଶୃଙ୍ଖଳା ଖେଳିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଆଇପିଏଲ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସର ୧୧ତମ ମୁକାବିଲା ପୂର୍ବରୁ ସୂର୍ଯ୍ୟକୁମାରଙ୍କ ବାମ ହାତରେ ଆଘାତ ଲାଗିଥିଲା। ସଂପ୍ରତି ସେ ପୂରା ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି।

କ୍ରିକବଜର ସୂତ୍ର ଅନୁଯାୟୀ, ଆହତ ସୂର୍ଯ୍ୟକୁମାର ଯାଦବଙ୍କୁ ଅତି କମରେ ଚାରି ସପ୍ତାହ ମଇଦାନରୁ ବାହାରେ ରହିବାର ସମ୍ଭାବନା ରହିଛି। ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜର ତାଙ୍କ ଖେଳିବା ସମ୍ଭାବନା ପ୍ରାୟତଃ କମ ରହିଛି। ମେ ୨୯ରେ ଆଇପିଏଲ ୨୦୨୨ ସଂପନ୍ନ ହେବ। ଏହା ପରେ ଜୁନ ୯ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଟି-୨୦ ସିରିଜ୍ ଖେଳିବ। ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲର ପ୍ଲେ ଅଫ ଦୌଡରୁ ବାଦ୍ ପଡିଥିଲେ ମଧ୍ୟ ଦମଦାର ଫର୍ମରେ ଥିଲେ ସୂର୍ଯ୍ୟକୁମାର ଯାଦବ। ସେ ତିନି ଅର୍ଦ୍ଧଶତକ ସହ ୩୦୦ରୁ ଅଧିକ ରନ କରି ସାରିଥିଲେ।

ଏହା ପୂର୍ବରୁ ସୂର୍ଯ୍ୟକୁମାର ଆହତଜନିତ ସମସ୍ୟା କାରଣରୁ ଆଇପିଏଲ ୨୦୨୨ର ପ୍ରାରମ୍ଭିକ କିଛି ମୁକାବିଲା ଖେଳି ପାରିନଥିଲେ। ପୁନର୍ବାର ଆହତ ହେବା ପରେ ସଂପ୍ରତି ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ) ପଠାଯାଇ ନାହିଁ। କାରଣ ଏବେ ମୁମ୍ବାଇରେ ତାଙ୍କର ସ୍କାନ କରାଯିବ।

Get real time updates directly on you device, subscribe now.