ନୂଆଦିଲ୍ଲୀ/ବେଜିଂ,୨୦ା୭: ଭାରତରେ ଚୀନ୍ ରାଷ୍ଟ୍ରଦୂତ ଶୁ ଫେଇହୋଙ୍ଗ କହିଛନ୍ତି ଯେ, ଭାରତ-ଚୀନ୍ ସୀମାରେ ପରିସ୍ଥିତି ଏବେ ସ୍ଥିର ଏବଂ ଉଭୟ ଦେଶ ସୀମା ପରିଚାଳନା ଏବଂ ନିୟନ୍ତ୍ରଣ ସମ୍ବନ୍ଧୀୟ ନିୟମ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ। ସେ କହିଛନ୍ତି, ଚାରି ବର୍ଷର ସାମରିକ ଅଚଳାବସ୍ଥା ପରେ ଉଭୟ ପକ୍ଷ ଏବେ ସମ୍ପର୍କ ସୁଧାରିବା ଦିଗରେ ପଦକ୍ଷେପ ନେଉଛନ୍ତି।
ରାଷ୍ଟ୍ରଦୂତ ଶୁ କହିଛନ୍ତି, ଭଗବାନ ଶିବଙ୍କ ବାସସ୍ଥାନ କୁହାଯାଉଥିବା କୈଳାସ ପର୍ବତ ଏବଂ ମାନସରୋବର ଯାତ୍ରା ପୁନଃ ଆରମ୍ଭ କରିବା ଯୋଜନା ପ୍ରସ୍ତୁତ। ତାଙ୍କର ବିଶ୍ୱାସ ଏହି ଯାତ୍ରା ପୁନଃ ଆରମ୍ଭ ହେବା ଦ୍ୱାରା ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କକୁ ‘ନୂତନ ଶକ୍ତି’ ମିଳିବ ଏବଂ ସାଧାରଣ ସ୍ତରରେ ବିଶ୍ୱାସ ଫେରାଇ ଆଣିବ।
ଶୁ’ କହିଛନ୍ତି, ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏଥିରେ ଉଭୟ ବିମାନ କମ୍ପାନୀ ଏବଂ ସରକାର ସାମିଲ ଅଛନ୍ତି। ଏହା ବ୍ୟତୀତ ଅନ୍ୟାନ୍ୟ ସାମାଜିକ ଏବଂ ସାଂସ୍କୃତିକ ଆଦାନ ପ୍ରଦାନ ମଧ୍ୟ ପୁନର୍ଜୀବିତ କରାଯିବ। ଯାହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଆଲୋଚନା ବୃଦ୍ଧି ପାଇପାରିବ।
ସେ କହିଛନ୍ତି, ଉଭୟ ଦେଶ ବାଣିଜ୍ୟ ସମ୍ପର୍କିତ ସମସ୍ୟାର ସମାଧାନ ଦିଗରେ ମଧ୍ୟ ଅଗ୍ରସର ହେବେ। ସେ କହିଛନ୍ତି ଯେ, ଏହି ପ୍ରସଙ୍ଗଗୁଡ଼ିକରେ ସ୍ୱଚ୍ଛ ଏବଂ ଗଠନମୂଳକ ଆଲୋଚନା ଆବଶ୍ୟକ, ଯାହା ଦ୍ଵାରା ଆର୍ଥିକ ସମ୍ପର୍କ ଆହୁରି ମଜବୁତ ହୋଇପାରିବ।
ଅପରେସନ ସିନ୍ଦୂର ସମୟରେ ପାକିସ୍ତାନକୁ ଚୀନର ସମର୍ଥନ ଉପରେ ପ୍ରଶ୍ନ ଉଠିବା ପରେ, ରାଷ୍ଟ୍ରଦୂତ ସ୍ପଷ୍ଟ କରିଥିଲେ ଭାରତ-ଚୀନ୍ ସମ୍ପର୍କ କୌଣସି ତୃତୀୟ ଦେଶ ବିରୋଧରେ ନୁହେଁ। ପାକିସ୍ତାନ ସହିତ ବେଜିଂର ସମ୍ପର୍କ ଭାରତ ବିରୋଧରେ ବି ନୁହେଁ।
କେନ୍ଦ୍ର ମନ୍ତ୍ରୀ କିରେନ୍ ରିଜିଜୁଙ୍କ ବିବୃତ୍ତିକୁ ସମାଲୋଚନା କରିଥିଲେ ଶୁ’, ଯେଉଁଥିରେ ସେ ଦଲାଇ ଲାମାଙ୍କ ପୁନର୍ଜନ୍ମ ଉପରେ ମନ୍ତବ୍ୟ ଦେଇଥିଲେ। ସେ କହିଛନ୍ତି, ବେଜିଂ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତିକୁ ‘ନୋଟ୍’ କରିଛି ଯେ, ଭାରତ ଏହି ପ୍ରସଙ୍ଗରେ କୌଣସି ସରକାରୀ ମତ ନେଇନାହିଁ।