fbpx

ଜଣେ ଉପ-ଅଧିନାୟକ, ଜଣେ ଶତକବୀର: ତଥାପି ରୋହିତଙ୍କ ଦଳରେ ସ୍ଥାନ ପାଇଲେନି ହାର୍ଦ୍ଦିକ-ଗିଲ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦୁଇଟି ମ୍ୟାଚ ଜିତି ସିରିଜ ହାତେଇ ସାରିଛି ଟିମ ଇଣ୍ଡିଆ । ବର୍ତ୍ତମାନ କ୍ଲିନ ସ୍ୱିପ କରିବା ଲକ୍ଷ୍ୟରେ ତୃତୀୟ ଦିନିକିଆ ଖେଳିବ ଭାରତ । କିନ୍ତୁ ଏହି ମ୍ୟାଚ ପୂର୍ବରୁ ଦଳକୁ ଫେରିଛନ୍ତି ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଷ୍ଟାର ବୋଲର କୁଳଦୀପ ଯାଦବ । ତେବେ ଏମାନଙ୍କ ବ୍ୟତୀତ ରାହୁଲ ସେନା ଅଷ୍ଟ୍ରେଲିଆ ଉପରେ ଭାରି ପଡ଼ିଥିବା ବେଳେ ସୁପରଷ୍ଟାରଙ୍କ କମବ୍ୟାକ ଭାରତକୁ ଆହୁରି ଶକ୍ତିଶାଳୀ କରିବ । ତେବେ କ’ଣ ରହିବ ଆସନ୍ତାକାଲି ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚରେ ଭାରତର ପ୍ଲେଇଙ୍ଗ-୧୧ । ଏ ନେଇ ଅଧିନାୟକ ରୋହିତ ଶର୍ମା ବଡ଼ ଘୋଷଣା କରି ସାରିଛନ୍ତି । ଦଳରୁ ଅନେକ ଷ୍ଟାର ଖେଳାଳି ବାଦ୍ ପଡ଼ିଥିବା କହିଛନ୍ତି ଅଧିନାୟକ ରୋହିତ ।

ଆସନ୍ତାକାଲି ରାଜକୋଟରେ କେଳାଯିବ ଭାରତ-ଅଷ୍ଟ୍ରେଲିଆ ତୃତୀୟ ତଥା ଶେଷ ଦିନିକିଆ । ତେବେ ଏହି ମ୍ୟାଚରେ ଭାରତର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଶତକବୀର ଷ୍ଟାର ଓପନର ଶୁଭମନ ଗିଲ୍ ଦଳରୁ ବାଦ୍ ପଡ଼ିଛନ୍ତି । ବିଶ୍ୱକପ ପୂର୍ବରୁ ଶେଷ ଦିନିକିଆ ମ୍ୟାଚରେ ରୋହିତଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ତେବେ ଶୁଭମନ ଗିଲ ଏବଂ ଦଳର ୫ ଜଣ ଷ୍ଟାର ଖେଳାଳି ବିଶ୍ୱକପ ପୂର୍ବରୁ ଘରକୁ ଯାଇ ସମୟ କାଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେହିପରି ଷ୍ଟାର ବୋଲର ମହମ୍ମଦ ଶାମୀ, ଶାର୍ଦ୍ଦୁଳ ଠାକୁର ଏବଂ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଘରକୁ ଫେରି ଯାଇଛନ୍ତି । ଅନ୍ୟ ପକ୍ଷରେ ଅଲରାଉଣ୍ଡର ଅକ୍ଷର ପଟେଲ ଆହତ ହୋଇ ଏନସିଏରେ ରହିଛନ୍ତି ।

ଏ ନେଇ ରୋହିତ କହିଛନ୍ତି ଯେ, ଦଳର କିଛି ଖେଳାଳି ଅସୁସ୍ଥ ରହିଥିବାରୁ ଚୟନ ପାଇଁ ଉପଲବ୍ଧ ନାହାନ୍ତି । ସେହିପରି କିଛି ଖେଳାଳି ବ୍ୟକ୍ତିଗତ କାରଣରୁ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହାବ୍ୟତୀତ କିଛି ଖେଳାଳିଙ୍କୁ ତୃତୀୟ ମ୍ୟାଚ ପାଇଁ ବିଶ୍ରାମ ଦିଆଯାଇଛି । ତେଣୁ ବର୍ତ୍ତମାନ ଆମ ସହ ୧୩ ଜଣ ଖେଳାଳି ରହିଛନ୍ତି ଏବଂ ଏଥିରୁ ୧୧ ଜଣ ଖେଳାଳି ତୃତୀୟ ଦିନିକିଆ ମ୍ୟାଚ ଖେଳିବେ ।

ତେବେ ପ୍ଲେଇଙ୍ଗ-୧୧ରୁ ଶୁଭମନ ଗିଲଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ମହମ୍ମଦ ଶାମୀ, ହାର୍ଦ୍ଦିକ ଏବଂ ଶାର୍ଦ୍ଦୁଳ ଘରକୁ ଫେରି ଯାଇଛନ୍ତି । ଅକ୍ଷର ପଟେଲ ବର୍ତ୍ତମାନ ସୁଦ୍ଧା ଫିଟ୍ ହୋଇ ନଥିବାରୁ ଏହି ମ୍ୟାଚ ପାଇଁ ଉପଲବ୍ଧ ନାହାନ୍ତି । ତେବେ ଅନ୍ୟ କିଛି ଖେଳାଳି ଭାଇରାଲରେ ପୀଡ଼ିତ ହୋଇଥିବାରୁ ବର୍ତ୍ତମାନ ଦଳରେ ଅନିଶ୍ଚିତତା ଲାଗି ରହିଛି । ତେଣୁ ତୃତୀୟ ମ୍ୟାଚ ପାଇଁ ଭାରତ ନିକଟରେ ଏବେ ମାତ୍ର ୨ ଜଣ ପେସ ବୋଲର ରହିଛନ୍ତି । ତେଣୁ ଏହି ମ୍ୟାଚରେ ଦୁଇରୁ ଅଧିକ ସ୍ପିନ ବୋଲରଙ୍କୁ ନେଇ ଓହ୍ଲାଇ ପାରନ୍ତି ଅଧିନାୟକ ରୋହିତ ଶର୍ମା ।

ସମ୍ଭାବ୍ୟ ପ୍ଲେଇଙ୍ଗ-୧୧: ରୋହିତ ଶର୍ମା(ଅଧିନାୟକ), ଇଶାନ କିଶାନ୍, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ(ଉପ-ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ, ଜଶପ୍ରୀତ ବୁମରାହ, କୁଳଦୀପ ଯାଦବ, ମହମ୍ମଦ ସିରାଜ ।

Get real time updates directly on you device, subscribe now.