fbpx

ବାଟରେ ଭାଙ୍ଗିଗଲା ଟ୍ରେନ ଚକା: ଡ୍ରାଇଭର ବି ଜାଣିପାରିଲେନି, ତା’ପରେ ଘଟିଗଲା ଏମିତି ଘଟଣା

Advertisement

ବୈଶାଳୀ: ବିହାରର ବୈଶାଳୀ ଜିଲ୍ଲାରେ ପୁଣି ଏକ ଭୟାନକ ଟ୍ରେନ ଦୁର୍ଘଟଣାର ସମ୍ଭାବନା ସୃଷ୍ଟି ହୋଇଛି । ଦରଭଙ୍ଗାରୁ ମୁମ୍ବାଇ ଅଭିମୁଖେ ଯାଉଥିବା ପବନ ଏକ୍ସପ୍ରେସରେ ଘଟି ଯାଇଛି ବିରାଟ ଅଘଟଣ । ଯିବା ବାଟରେ ଟ୍ରେନର ଗୋଟିଏ ଚକା ଭାଙ୍ଗି ଯାଇଥିବା ଜାଣିବାକୁ ମିଳିଛି । ଟ୍ରେନର ଏସ୧୧ ବଗିର ଏକ ଚକା ଭାଙ୍ଗି ଯାଇଥିବାରୁ ବାହାନଗା ଭଳି ଭୟଙ୍କର ଦୁର୍ଘଟଣା ଘଟିବାର ସମ୍ଭାବନା ସୃଷ୍ଟି ହୋଇଥିଲା । ତେବେ ଏହି ବଗିରେ ଥିବା ଜଣେ ଯାତ୍ରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏହି ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଛି ।

ସୂଚନା ଅନୁସାରେ, ଜୟନଗରରୁ ମୁମ୍ବାଇର ଲୋକମାନ୍ୟ ତିଲକ ଟର୍ମିନାଲକୁ ଯାଉଥିବା ପବନ ଏକ୍ସପ୍ରେସକୁ ଏକ ବଡ ଅସୁବିଦାର ସମ୍ମୁଖୀନ ହେବାକୁ ପଡିଛି । ମୁଜଫରନଗର ଷ୍ଟେସନରୁ ବାହାରିବା ପରେ ଟ୍ରେନରୁ କିଛି ଅଜବ ଶବ୍ଦ ଶୁଣିବାକୁ ଲାଗିଥିଲା । କିନ୍ତୁ ଏହାକୁ ଟ୍ରେନର ଡ୍ରାଇଭର କିମ୍ବା ଗାର୍ଡ କେହି ଜାଣି ପାରି ନଥିଲେ । ତେବେ ଦରଭଙ୍ଗାର ରାଜେଶ ଦାସ ଏହି ଟ୍ରେନର ଏସ ବଗିରେ ଯାତ୍ରା କରୁଥିଲେ । ସେ ଏହାକୁ ଅନୁଭବ କରିଥିଲେ ମଧ୍ୟ କିଛି ଜାଣିପାରି ନଥିଲେ । ତେଣୁ ତଳକୁ ଚାହିଁବାରୁ ଏକ ଭୟଙ୍କର ଦୁର୍ଘଟଣାର ଆଭାସ ପାଇଥିଲେ ରାଜେଶ । କାରଣ ଏସ ୧୧ ବଗିର ଏକ ଚକା ଭାଙ୍ଗି ଯାଇଥିବା ସେ ଦେଖିବାକୁ ପାଇଥିଲେ । ଚକାର ପ୍ରାୟ ୧୦ ଇଞ୍ଚ ପର୍ଯ୍ୟନ୍ତ ଭାଙ୍ଗି ସାରିଥିଲା । ଏକଥା ଡ୍ରାଇଭରଙ୍କୁ ସୂଚନା ଦେବା ପାଇଁ ଚେଷ୍ଟା କରିଥିଲେ ବି ରାଜେଶ ବିଫଳ ହୋଇଥିଲେ ।

ଏହାପରେ ବଗିର ସମସ୍ତ ଯାତ୍ରୀଙ୍କୁ ଏ ସମ୍ପର୍କରେ ଜଣାଇବା ସହ ବାହାନଗା ଦୁର୍ଘଟଣା କଥା ମନେ ପକାଇ ଦେଇଥିଲେ ରାଜେଶ । ତେଣୁ ଉପସ୍ଥିତ ବୁଦ୍ଧି ଖଟାଇ ସେ ଟ୍ରେନର ଚେନ୍ ଟାଣି ଗାଡି ରୋକିବା ପାଇଁ ଚେଷ୍ଟା କରିଥିଲେ । ତେବେ ଏଥର ରାଜେଶ ନିଜ ପ୍ରୟାସରେ ସଫଳ ହୋଇଛନ୍ତି । ଗାଡି ରହିବା ପରେ ଚକା ଭାଙ୍ଗିବା ନେଇ ଡ୍ରାଇଭରଙ୍କ ସମେତ ଟ୍ରେନର ଅନ୍ୟ କର୍ମଚାରୀଙ୍କୁ ଅବଗତ କରାଇଥିଲେ ରାଜେଶ । ପରେ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ପାଖରେ ଏହି ମାମଲା ପହଞ୍ଚିଥିଲା । ତେବେ ସୋନପୁର ରେଳ ମଣ୍ଡଳରୁ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ଅତିରିକ୍ତ ବଗି ସହ ପହଞ୍ଚିଥିଲେ । ଏହାପରେ ୫.୧୦ ଘଣ୍ଟାର ଅପରେସନ ପରେ ଟ୍ରେନ ପୁଣିଥରେ ଗଡିଛି । ତେବେ ରାଜେଶଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନରେ ଥିବା ହଜାର ହଜାର ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ରକ୍ଷା କରାଯାଇ ପାରିଛି । ନଚେତ ବାଲେଶ୍ୱର ବାହାନଗା ଦୁର୍ଘଟଣା ପରି ଆଉ ଏକ ବଡ ଟ୍ରେନ ଦୁର୍ଘଟଣା ଦେଖିବାକୁ ମିଳିଥାନ୍ତା ।

Get real time updates directly on you device, subscribe now.