କେନାଲ କାମ ସମୟରେ ଅଘଟଣ; ଝିଅ ମୃତ, ଗୁରୁତର ଅବସ୍ଥାରେ ବାପା ମେଡିକାଲରେ ଭର୍ତ୍ତି

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନା ଅନ୍ତର୍ଗତ ନଡ଼ିଆଭଙ୍ଗା ପଞ୍ଚାୟତରେ କେନାଲ କାମ ଚାଲୁଥିବା ବେଳେ ଅଘଟଣ । ରେଙ୍ଗାଳି କେନାଲର ମାଟି ଅତଡ଼ା ଧସିବାରୁ ପୋତି ହୋଇଯାଇଥିଲେ ବାପା- ଝିଅ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଦୁହିଙ୍କୁ ମାଟି ତଳୁ ଉଦ୍ଧାର କରିଥିଲେ । ଏହି ଦୁର୍ଘଟଣାରେ ଝିଅର ମୃତ୍ୟୁ ହୋଇଥିବା ବେଳେ ବାପାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ସୂଚନାରୁ ପ୍ରକାଶ ସକାଳେ ଶୌଚ ହେବା ପାଇଁ ବାପା ଝିଅ ଯାଉଥିବା ବେଳେ ହଠାତ କେନାଲର ମାଟି ଅତଡ଼ା ଖସିଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ଦୁହିଁଙ୍କୁ ଉଦ୍ଧାର କରିଥିଲେ । ତେବେ ଝିଅଟିର ମୃତ୍ୟୁ ହୋଇଯାଇଥିବା ବେଳେ ବାପାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ମୃତକ ଝିଅ ହେଉଛି ଗୀତା ମୁଣ୍ଡା(୮) ଓ ଗୁରୁତର ବାପା ଇଶ୍ୱର ମୁଣ୍ଡା । ଏହି ଘଟଣାକୁ ନେଇ ରେଙ୍ଗାଲି କେନାଲ କାମ କରୁଥିବା କମ୍ପାନୀର ମନମୂଖୀ କାର୍ଯ୍ୟ ପାଇଁ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ଅନେକ ସମସ୍ୟାର ସାମ୍ନା କରୁଥିବା ଜଣାପଡ଼ିଛି ।