fbpx

ଏସିଏଫ୍ ଡେଥ୍ ମିଷ୍ଟ୍ରି: ବିଦ୍ୟାଭାରତୀଙ୍କ ପରେ ସାମନାକୁ ଆସିଲା ସୌମ୍ୟଙ୍କ ଚିଠି, ଖୋଲିଲା ଅନେକ ଗୁମର କଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସିବାରେ ଲାଗିଛି । ପୂର୍ବରୁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଦୁଇଟି ହାତଲେଖା ଚିଠି ସାମନାକୁ ଆସିଥିବା ବେଳେ ଏବେ ସାମନାକୁ ଆସିଛି ସୌମ୍ୟଙ୍କ ହାତଲେଖା ଚିଠି । ତେବେ ସୌମ୍ୟ ଏହି ଚିଠି ଗତ ଫେବୃଆରୀ ମାସରେ ଲେଖିଥିବା ବେଳେ ଏହା ଉଭୟଙ୍କ ଦାମ୍ପତ୍ତ୍ୟ ଜୀବନ କିପରି ଥିଲା, ତା’ର ଅସଲ ଚିତ୍ର ଲୋକଲୋଚନକୁ ଆଣିବାରେ ସହାୟକ ହୋଇଛି ।

ସୌମ୍ୟ ଗତବର୍ଷ ଡିସେମ୍ବର ମାସରେ ବିବାହ କରିଥିବା ବେଳେ ମାତ୍ର ଦୁଇ ମାସ ପରେ ଅର୍ଥାତ ଫେବୃଆରୀ ମାସ ୨୨ ଓ ୨୩ ତାରିଖରେ ଏହି ଚିଠି ଲେଖିଥିବା ଜଣାପଡ଼ିଛି । ସୌମ୍ୟ ଲେଖିଛନ୍ତି, ସେ ବିଦ୍ୟାଭାରତୀଙ୍କ ଠାରୁ ଜଣେ ଗୁଡ୍ ୱାଇଫ୍ ଓ ଫ୍ରେଣ୍ଡ ହିସାବରେ ଭଲ ବ୍ୟବହାର ଆଶା କରନ୍ତି । ପତ୍ନୀଙ୍କର ଶିକ୍ଷାଗତ ଯୋଗ୍ୟତା ତାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ସେ ତାଙ୍କର ଧର୍ମପତ୍ନୀଙ୍କ ପାଦତଳେ ନିଜକୁ ସମର୍ପି ଦେବାକୁ ପ୍ରସ୍ତୁତ ଅଛନ୍ତି । ବିଦ୍ୟାଭାରତୀ ଚାହିଁଲେ ଘରୋଇ ହିଂସା ବିରୋଧରେ ଆଇନର ଆଶ୍ରୟ ନେଇପାରିବେ । ଯଦି ଦରକାର ପଡ଼େ, ତେବେ ସେ ନିଜ ଚାକିରିରୁ ରିଜାଇନ୍ ଦେଇ ପତ୍ନୀଙ୍କ ଦେଖାଶୁଣା କରିପାରିବେ । ପତ୍ନୀଙ୍କର ସମସ୍ତ ଇଚ୍ଛାପୂରଣ କରିବାକୁ ସେ ପ୍ରସ୍ତୁତ ରହିଥିବା ସୌମ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ଏହି ଚିଠି ସୌମ୍ୟ କାହିଁକି ଲେଖିଥିଲେ, ତାହାକୁ ଏବେ ଉଠୁଛି ପ୍ରଶ୍ନ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ବିଦ୍ୟାଭାରତୀଙ୍କ ଦୁଇଟି ହାତଲେଖା ଚିଠି ସାମନାକୁ ଆସିଥିଲା । ଚିଠିରେ ଲେଖାଥିଲା- ସୌମ୍ୟଙ୍କୁ ବିବାହ କରି ସେ ମସ୍ତବଡ଼ ଭୁଲ କରିଛନ୍ତି । ତାଙ୍କର ଡିଭୋର୍ସ ପାଇଁ ସେ ଠାକୁରଙ୍କ ପାଖରେ ଗୁହାରି କରିଥିଲେ । ଏପରିକି ରାକ୍ଷସ, ବ୍ଲଡି ବାଷ୍ଟାର୍ଡ ପରି ଅପଶବ୍ଦ ମଧ୍ୟ ବିଦ୍ୟାଭାରତୀ ତାଙ୍କ ପତି ସୌମ୍ୟଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ । ତେବେ ବିଦ୍ୟାଭାରତୀ ଯେ ସୌମ୍ୟଙ୍କୁ ଘୃଣା କରୁଥିଲେ, ତାହା ତାଙ୍କ ହାତଲେଖାରୁ ସ୍ପଷ୍ଟ ହୋଇଛି । ଅପରପକ୍ଷେ ସୌମ୍ୟଙ୍କ ଲେଖାରୁ ତାଙ୍କର ତ୍ୟାଗ, ଭଲପାଇବାର ଆଭାସ ମିଳୁଛି । ତେବେ ଏହି ଦୁଇ ଚିଠି ମଧ୍ୟରେ ଆହୁରି କିଛି ଅଧିକ ରହସ୍ୟ ଲୁଚି ରହିଥାଇପାରେ ବୋଲି ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.