fbpx

ଗାଡ଼ି ଚାଳକଙ୍କୁ ସତର୍କ କରିଦେଲେ ACP ଟ୍ରାଫିକ୍: ଆପଣଙ୍କ କାରରୁ ଅଚାନକ ପେଟ୍ରୋଲ ସରିଗଲେ ଆପଣଙ୍କର ଚାଲାଣ କଟିପାରେ, IPC ନିୟମ ଜାଣନ୍ତୁ

ନୂଆଦିଲ୍ଲୀ: ସାଧାରଣ ଭାବେ ଦ୍ରୁତ ଗତିରେ ଡ୍ରାଇଭ୍ କରିବା, ମଦ୍ୟପାନ କରି ଗାଡ଼ି ଚଳାଇବା, ରଙ୍ଗ ରୁଟରେ ଯିବା ଆଦି ବିଭିନ୍ନ ପ୍ରକାରର ଟ୍ରାଫିକ ନିୟମ ଉଲ୍ଲଂଘନ କାରଣରୁ ଚାଲାଣ କଟିଥାଏ । ତେବେ ଗୋଟିଏ ଚଳନ୍ତା ଯାନରୁ ଯଦି ଅଚାନକ ଇନ୍ଧନ ସରିଯାଏ, ତେବେ ଏପରି ସ୍ଥିତିରେ ମଧ୍ୟ ଆପଣଙ୍କ ଚାଲାଣ କଟିପାରେ । ଏହି କଥାଟି ଶୁଣିବାକୁ ଅଜବ ଲାଗୁଥାଇପାରେ, ମାତ୍ର ଏନେଇ ଭାରତରେ ମଧ୍ୟ ନିୟମ ରହିଛି । ତେଣୁ ଗାଡ଼ି ଚାଳକମାନେ ଏ ବାବଦରେ ଜାଣିବା ନିହାତି ଆବଶ୍ୟକ ।

ପ୍ରକୃତ କଥା ହେଉଛି, ନିକଟରେ ବେଙ୍ଗାଲୁରୁରେ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା । ରାସ୍ତାରେ ଚାଲୁଥିବା ସମୟରେ ଏକ କାରର ପେଟ୍ରୋଲ ଅଚାନକ ସରିଯାଇଥିଲା । ତେବେ ଡ୍ରାଇଭର ଜଣଙ୍କ ଗାଡ଼ିକୁ ରାସ୍ତା ସାଇଡରେ ରଖିଥିଲେ ହେଁ ଗାଡ଼ି ରଖିବା କାରଣରୁ ସେହି ସ୍ଥାନରେ ଭିଡ଼ ବଢ଼ିଯାଇଥିଲା । ସେଥିପାଇଁ ଟ୍ରାଫିକ ପୋଲିସ ଉକ୍ତ ବିଏମଡବ୍ଲ୍ୟୁ ଆରୋହୀଙ୍କ ଚାଲାଣ କାଟିଥିଲେ । ଏନେଇ ଏସିପି ଟ୍ରାଫିକ ନର୍ଥ-ଇଷ୍ଟ ବେଙ୍ଗାଲୁରୁ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ‘ଇନ୍ଧନ ସମାପ୍ତ… ଯାତାୟାତରେ ସମସ୍ୟା ସୃଷ୍ଟି ପାଇଁ ମାମଲା ଦାୟର’ ଲେଖିଥିଲେ ।

ବିଏମଡବ୍ଲ୍ୟୁ ଜେଡ୪ ସ୍କୋର୍ଟ୍ସ କାରର ପେଟ୍ରୋଲ ସରିଯିବା ପରେ କାରଟି ସଡ଼କ ମଝିରେ ଛିଡ଼ା ହୋଇରହିଥିଲା । ଫଳରେ ସେହି ସମୟରେ ଟ୍ରାଫିକ ସମସ୍ୟା ଉପୁଜିବା କାରଣରୁ ଗାଡ଼ି ମାଲିକଙ୍କର ଚାଲାଣ କଟିଥିଲା । ହେବଲ ବେଙ୍ଗାଲୁରୁର ଏକ ବ୍ୟସ୍ତବହୁଳ ଅଞ୍ଚଳ ହୋଇଥିବା ବେଳେ ସେହି ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଥିଲା । ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ଉକ୍ତ ରାସ୍ତା ସଂଯୋଗ କରୁଥିବାରୁ ସେହି ରାସ୍ତାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ ।

ଆଇପିସିର ଧାରା ୨୮୩ ଅନୁସାରେ, ଯାତାୟାତରେ ବାଧା ସୃଷ୍ଟି କରିବା କାରଣର ପୋଲିସ ଆପଣଙ୍କ ଉପରେ ଜରିମାନା ଲାଗୁ କରିପାରେ । ବିଶେଷ କରି ବ୍ୟସ୍ତବହୁଳ ରାସ୍ତା ସହ ଜଡ଼ିତ ମାମଲାରେ ଗାଡ଼ି ମାଲିକଙ୍କୁ ଅଦାଲତରେ ହାଜର କରାଯାଇପାରେ । ଏପରି ସ୍ଥିତିରେ ଟ୍ରାଫିକ ପୋଲିସ ଆପଣଙ୍କୁ ୧୦ ହଜାର ଟଙ୍କା ଜରିମାନା ଲାଗୁ କରିପାରେ । ସାଧାରଣ ଭାବେ ଏହି ନିୟମକୁ ଅଧିକାଂଶ କ୍ଷେତ୍ରରେ ଲାଗୁ କରାଯାଇନଥାଏ, ମାତ୍ର ଜରୁରୀ ପଡ଼ିଲେ ଟ୍ରାଫିକ ଅଧିକାରୀ ଏହାକୁ ଲାଗୁ କରିପାରନ୍ତି । ତେଣୁ କେଉଁ ଅଞ୍ଚଳରେ ଯାତ୍ରା କରୁଛନ୍ତି, ଗାଡ଼ିରେ ପର୍ଯ୍ୟାପ୍ତ ଇନ୍ଧନ ରହିଛି କି ନାହିଁ ସେନେଇ ସଚେତନ ହେବା ଯାନ ମାଲିକଙ୍କର କର୍ତ୍ତବ୍ୟ । ଏପରି ଦାୟିତ୍ୱହୀନ ଘଟଣା ପୋଲିସ ମାମଲା ମଧ୍ୟ ଦାୟର କରିପାରେ ।

Get real time updates directly on you device, subscribe now.