ମହାପ୍ରଭୁଙ୍କ ଅଧରପଣା ନୀତି କ’ଣ? କାହିଁକି ଭଙ୍ଗାଯାଏ ଏହି ହାଣ୍ଡି?
ମହାପ୍ରଭୁଙ୍କ ଅଧରପଣା ନୀତି ବିଷୟରେ ଆସନ୍ତୁ ଜାଣିବା
ପୁରୀ: ତିନି ଠାକୁରଙ୍କୁ ଲାଗିହେଲା ଅଧରପଣା। ପ୍ରଥମେ ବଡ଼ ଠାକୁର, ତା ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ପ୍ରଭୁ ଜଗନ୍ନାଥଙ୍କୁ ଲାଗିହେଲା ଅଧରପଣା। ଏହି ପଣା ଠାକୁରଙ୍କ ପାଖରେ ଲାଗି ହେବା ପରେ ଭଙ୍ଗା ହେଲା ହାଣ୍ଡି। ତେବେ କଣ ଏହି ଅଧରପଣା ଏବଂ ଏହି ହାଣ୍ଡି କାହିଁକି ଭଙ୍ଗାଯାଏ ଆସନ୍ତୁ ଜାଣିବା।
ଓଡ଼ିଆ ଜାତିର ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଯାହାଙ୍କର ଅଧର ମଧୁର, ବଚନ ମଧୁର ଓ ରୂପ ବି ମଧୁର । ତାଙ୍କର ଚକା ଆଖି ପାଇଁ ଅନୁଷ୍ଠିତ ହୁଏ ନେତ୍ରୋତ୍ସବ ଆଉ ନାଲି ଓଠ ପାଇଁ ଅନୁଷ୍ଠିତ ହୁଏ ଅଧରପଣା ।
ସୁନାବେଶ ପରଦିନ ସିଂହଦ୍ବାରରେ ରଥ ଉପରେ ଏହି ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ଅଧର ସମାନ ଲାଉ ତୁମ୍ଭ ଭଳି ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ସ୍ୱତନ୍ତ୍ର ପଣା ଭୋଗ ହେଉଥିବା ହେତୁ ଏହି ନୀତିକୁ ଅଧରପଣା ନୀତି କୁହାଯାଏ।
କିପରି ପ୍ରସ୍ତୁତ ହୁଏ ଅଧରପଣା ? ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ରଥଯାତ୍ରାରେ ରଥ ସହିତ ଅନେକ ଦେବାଦେବୀ, ଚଣ୍ଡି ଚାମୁଣ୍ଡା, ତଥା ଅଶରିରୀମାନେ ଯାତ୍ରା କରିଥାନ୍ତି । ମହାପ୍ରଭୁ ନୀଳକନ୍ଦରକୁ ବିଜେ ପୂର୍ବରୁ ଏମାନଙ୍କ ଉଦ୍ଧାର ନିମନ୍ତେ ତଥା ସନ୍ତୋଷ ପ୍ରଦାନ ନିମନ୍ତେ ଏହି ଅଧର ପଣା ନୀତି ଅନୁଷ୍ଠିତ ହୋଇଥାଏ ।
ଏହି ନୀତି ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଶେଷ ପରେ ହୋଇଥାଏ । ମହାପ୍ରଭୁଙ୍କ ଅଧର ପଣା ପ୍ରସ୍ତୁତି ମଧ୍ୟ ସ୍ବତନ୍ତ୍ର । ଶ୍ରୀମନ୍ଦିର ସମ୍ମୁଖରେ ଥିବା କୂପରୁ ଜଳ ନିଆଯାଇ ସ୍ବତନ୍ତ୍ର ହାଣ୍ଡିରେ ରଖାଯାଏ । କ୍ଷୀର, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର, ଯାଇ ଫଳ, ଶର୍କରା ଆଦି ବିଭିନ୍ନ ସୁବାସିତ ଦ୍ରବ୍ୟ ମିଶାଯାଇ ସ୍ବତନ୍ତ୍ର ପଣା ପ୍ରସ୍ତୁତ ହୋଇଥାଏ ।
କେତୋଟି ହାଣ୍ଡି ଭଙ୍ଗା ଯାଏ ? ପ୍ରତି ରଥରେ ୩ଟି ହାଣ୍ଡି ହିସାବରେ ମୋଟ ୯ଟି ଭୋଗ ଲାଗିବା ପରେ ଏହି ହାଣ୍ଡି ଗୁଡିକୁ ଭାଙ୍ଗି ଦିଆଯାଏ । ପଣା ଗୁଡି଼କ ରଥ ତଳକୁ ବହିଯାଏ । ଯାହାପରେ ଅପେକ୍ଷାରତ ଦେବାଦେବୀ, ଚଣ୍ଡି ଚାମୁଣ୍ଡା, ଅଶରିରୀମାନେ ଏହି ପଣାକୁ ପାନ କରି ସ୍ବସ୍ଥାନକୁ ପ୍ରତ୍ୟାବର୍ତ୍ତନ କରନ୍ତି । ପରଦିନ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହୋଇଥାଏ ।