ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦାଖଲ କରି ଧରାପଡ଼ିଲେ ୨୮ ଜଣ ଛାତ୍ରଛାତ୍ରୀ, ସମସ୍ତଙ୍କର ନାମଲେଖା ବାତିଲ୍ କଲା ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର):ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ ଦାଖଲ କରି ଧରାପଡ଼ିଛନ୍ତି ୨୮ ଜଣ ଛାତ୍ରଛାତ୍ରୀ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନକଲି ସାର୍ଟିଫିକେଟରେ କିଛି ଛାତ୍ରଛାତ୍ରୀ ନାମ ଲେଖାଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ କରାଯାଇ ୨୦୧୯-୨୦, ୨୦୨୦-୨୧, ୨୦୨୧-୨୨ ଶିକ୍ଷାବର୍ଷର ୨୮ ଜଣ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇଛି । ତେବେ ଉକ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ବିଭାଗ ପକ୍ଷରୁ ବାତିଲ୍ କରାଯାଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ନକଲି ସାର୍ଟିଫିକେଟ ଦାଖଲ କରି ନାମଲେଖା ହୋଇଥିବା ଅଭିଯୋଗ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଉକ୍ତ ଘଟଣାର ତଦନ୍ତ କରାଯାଇଥିଲା । ଏଥିସହ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ସେଲ୍ଫ ଫାଇନାନ୍ସିଂ କଲେଜରେ ଅଧ୍ୟୟନରତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଧ୍ୟକ୍ଷମାନଙ୍କୁ ବିଭାଗୀୟ ସଚିବ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦିଆଯାଇଛି । ତେବେ ୨୦୧୯-୨୦ରେ ଦୁଇଜଣ, ୨୦୨୦-୨୧ରେ ୯ ଜଣ ଓ ୨୦୨୧-୨୨ରେ ୧୭ ଜଣ ନକଲି ସାର୍ଟିଫିକେଟ ଦ୍ୱାରା ନାମ ଲେଖାଇଥିବା ଜଣାପଡ଼ିଥିଲା ।