fbpx

T-20 WC 2024; ବାଜି ମାରିଲା ଆଫଗାନିସ୍ତାନ: ଟି-୨୦ ବିଶ୍ୱକପ Super-8 ରେ ନ୍ୟୁଜିଲାଣ୍ଡକୁ ଝଟକା

Advertisement

ନୂଆଦିଲ୍ଲୀ: ପପୁଆ-ନ୍ୟୁ ଗିନି ବିପକ୍ଷ ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଆଫଗାନିସ୍ତାନ । ଷ୍ଟାର ଅଲରାଉଣ୍ଡର ରାଶିଦ ଖାନଙ୍କ ନେତୃତ୍ୱରେ ଦଳ ସୁପର-୮ ମୁକାବିଲାରେ ପାଦ ଥାପିଛି । କିନ୍ତୁ ଆଫଗାନିସ୍ତାନର ଏହି ବିଶାଳ ବିଜୟରେ ନ୍ୟୁଜିଲାଣ୍ଡ ଟିମକୁ ଶକ୍ତ ଝଟକା ଲାଗିଛି । ଆଫଗାନିସ୍ତାନ ପପୁଆ ନ୍ୟୁ ଗିନିକୁ ପରାସ୍ତ କରିବା ସହ ନ୍ୟୁଜିଲାଣ୍ଡ ସୁପର-୮ ମୁକାବିଲାରୁ ବାଦ୍ ପଡ଼ିଛି । ଚଳିତ ସିଜନରେ ୩ଟି ମ୍ୟାଚରୁ ୬ ପଏଣ୍ଟ ଏବଂ ୪.୨୩୦ ରନ୍ ରେଟ୍ ସହ ସୁପର-୮କୁ ପଦାର୍ପଣ କରିଛି ଆଫଗାନିସ୍ତାନ । ପପୁଆ ନ୍ୟୁ-ଗିନି ପ୍ରଥମେ ବ୍ୟାଟିଂ କରି ୯୫ ରନ୍ କରିଥିବା ବେଳେ ଆଫଗାନିସ୍ତାନ ୩ ୱିକେଟ ହରାଇ ଏହି ମ୍ୟାଚକୁ ୧୫.୧ ଓଭରରେ ବିଜୟ ହାସଲ କରିଛି । ଗୁଲବଦିନ ନାଏବଙ୍କ ୪୯ ରନର ଦମଦାର ବ୍ୟାଟିଂ ବଳରେ ଏହି ବିଜୟ ହାସଲ କରିଛି ଆଫଗାନିସ୍ତାନ ।

ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଆଫଗାନିସ୍ତାନ ଅଧିନାୟକ ରାଶିଦ ଖାନ୍ । ରାଶିଦ ସେନାର ଦମଦାର ବୋଲିଂ ବଳରେ ପପୁଆ ନ୍ୟୁ ଗିନି ମାତ୍ର ୯୫ ରନରେ ଅଲ ଆଉଟ ହୋଇଥିଲା । ତେବେ ୯୬ ରନର ଏହି ଛୋଟ ଟାର୍ଗେଟକୁ ସହଜରେ ହାସଲ କରି ନେଇଛି ଆଫଗାନିସ୍ତାନ । ଟି-୨୦ ବିଶ୍ୱକପର ସି ଗ୍ରୁପରେ ସର୍ବାଧିକ ପଏଣ୍ଟ ସହ ଦଳ ସୁପର-୮କୁ ପହଞ୍ଚିଛି । ପୂର୍ବରୁ ୱେଷ୍ଟଇଣ୍ଡିଜ ଏଥିପାଇଁ କ୍ୱାଲିଫାଏ କରିଥିବା ବେଳେ ପପୁଆ ନ୍ୟୁ ଗିନିକୁ ମାତ୍ ଦେଇ ଆଫଗାନିସ୍ତାନ ଶୀର୍ଷ ସ୍ଥାନରେ ରହି କ୍ୱାଲଫାଏ କରିବାରେ ସମର୍ଥ ହୋଇଛି । ଉଭୟ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ୩ଟି ଲେଖାଏଁ ମ୍ୟାଚ ଖେଳିଥିବା ବେଳେ ସମସ୍ତ ମ୍ୟାଚରେ ବିଜୟୀ ହୋଇ ସୁପର-୮କୁ ଏଣ୍ଟ୍ରି କରିଛନ୍ତି ।

ଏହି ମ୍ୟାଚରେ ଆଫଗାନିସ୍ତାନ ତରଫରୁ ଗୁଲବଦିନ ନାଏବ ସର୍ବାଧିକ ସ୍କୋର କରିଛନ୍ତି । ୩୬ ବଲରୁ ୪ଟି ଚୌକା ଏବଂ ୨ଟି ଛକା ସହ ୪୯ ରନର ଇନିଂସ ଦଳକୁ ବିଜୟୀ କରାଇଛି । ସେହିପରି ବୋଲିଂରେ ଫଜଲହକ ଫାରୁକୀ ୪ ଓଭରରେ ୩ଟି ୱିକେଟ ହାସଲ କରି ପ୍ଲେୟର ଅଫ୍ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ଏହାବ୍ୟତୀତ ନବୀନ ଉଲ-ହକ୍ ୨ଟି ଏବଂ ନୁର ଅହମଦ ଗୋଟିଏ ସଫଳତା ହାସଲ କରିଛନ୍ତି । ତେବେ ଆଫଗାନିସ୍ତାନର ଏହି ବିଜୟ ନ୍ୟୁଜିଲାଣ୍ଡ ପାଇଁ ଝଟକା ଲାଗିଛି । ଅଫଗାନିସ୍ତାନ ସୁପର-୮କୁ କ୍ୱାଲିଫାଏ କରିବା ସହ ନ୍ୟୁଜିଲାଣ୍ଡ ସମେତ ୟୁଗାଣ୍ଡା ଏବଂ ପପୁଆ ନ୍ୟୁ ଗିନି ଏହି ଦୌଡ଼ରୁ ବାଦ୍ ପଡ଼ିଛନ୍ତି । ପପୁଆ ନ୍ୟୁ ଗିନି ଟୁର୍ଣ୍ଣାମେଣ୍ଟରେ ସମସ୍ତ ମ୍ୟାଚରେ ପରାସ୍ତ ହୋଇଥିବା ବେଳେ ଆଗକୁ ଥିବା ମ୍ୟାଚ ଗିଡ଼ିକର ଫଳାଫଳ ଏହି ସମୀକରଣରେ କୌଣସି ଫରକ ପକାଇବ ନାହିଁ ।

Get real time updates directly on you device, subscribe now.