fbpx

ବଢ଼ିଲା ଆଫଗାନିସ୍ତାନର ସେମି ଆଶା: ପଏଣ୍ଟ ଟେବୁଲରେ ପଛରେ ପଡ଼ିଲା ପାକିସ୍ତାନ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପରେ ଆଜି ନେଦରଲାଣ୍ଡସକୁ ୭ ୱିକେଟରେ ପରାସ୍ତ କରି ନୂଆ ଆଶା ସଞ୍ଚାର କରିଛି ଆଫଗାନିସ୍ତାନ । ଟସ୍ ଜିତି ନେଦରଲାଣ୍ଡସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଦଳ ୪୬.୩ ଓଭରରେ ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ସାଇବ୍ରାଣ୍ଡ ଏଞ୍ଜେଲବ୍ରେଚଟ ସର୍ବାଧିକ ୫୮ ରନ୍ ସଂଗ୍ରହ କରିଥିବା ବେଳେ ମାକ୍ସ ଓଦାଉଦ ୪୨ ରନ୍ ସଂଗ୍ରହ କରିଥିଲେ ।

ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ନବୀ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ନୁର ଅହମଦ ୨ଟି ୱିକେଟ ଅକ୍ତିଆର କରିଥିଲେ । ତେବେ ଆଫଗାନିସ୍ତାନ ମାତ୍ର ୩୧.୩ ଓଭରରେ ୩ଟି ୱିକେଟ ହରାଇ ୧୮୧ ରନ୍ ସଂଗ୍ରହ କରିନେଇଥିଲା । ଦଳ ପକ୍ଷରୁ ରହମତ ଶାହ ୫୨ ରନ୍ ସଂଗ୍ରହ କରିଥିବା ବେଳେ ଅଧିନାୟକ ହଶମତୁଲ୍ଲାହ ଶାହିଦି ୫୬ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ନେଦରଲାଣ୍ଡସ ପକ୍ଷରୁ ଲୋଗାନ ଭାନ ବିକ, ରୋଏଲୋଫ ଭାନ ଡିର ମେରୱେ ଓ ସକିବ ଜୁଲଫିକର ପ୍ରତ୍ୟେକେ ୧ଟି ଲେଖାଏଁ ୱିକେଟ ନେଇଥିଲେ ।

ଚଳିତ ବିଶ୍ୱକପରେ ଇଂଲଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କା ପରି ୩ଟି ପୂର୍ବ ବିଶ୍ୱ ଚାମ୍ପିୟନ ଟିମକୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା ଆଫଗାନିସ୍ତାନ । ଆଜିର ବିଜୟ ଫଳରେ ଆଫଗାନିସ୍ତାନର ୭ଟି ମ୍ୟାଚରୁ ୪ଟି ଜିତି ମୋଟ ୮ ପଏଣ୍ଟ ହାସଲ କରିଛି । ଏଥିସହିତ ଆଫଗାନିସ୍ତାନ ଅନ୍ୟ ଦୁଇ ଦେଶ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ସହ ସମାନ ୮ ପଏଣ୍ଟ ପାଇଥିଲେ ହେଁ ରନରେଟ୍ ଦୃଷ୍ଟିରୁ ଦଳ ନ୍ୟୁଜିଲାଣ୍ଡଠାରୁ ତଳେ ଓ ପାକିସ୍ତାନ ଠାରୁ ଉପରେ ରହିଛି । ଆଗକୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜିତି ସେମିରେ ପ୍ରବେଶ ପାଇଁ ଜୋରଦାର ପ୍ରୟାସ କରିବ ଆଫଗାନିସ୍ତାନ ।

Get real time updates directly on you device, subscribe now.