fbpx

ଆଇପିଏଲ୍ ବେଟିଂରେ ସ୍ୱାମୀ ୧ କୋଟି ଟଙ୍କା ହାରିବାରୁ ଜୀବନ ହାରିଲା ସ୍ତ୍ରୀ

ନୂଆଦିଲ୍ଲୀ: ଆଇପିଏଲ ବେଟିଂରେ ସ୍ୱାମୀ ୧ କୋଟି ଟଙ୍କା ହାରିବାରୁ ଜୀବନ ହାରିଦେଲା ସ୍ତ୍ରୀ । ଆର୍ଥିକ କ୍ଷତିକୁ ନେଇ ଉଜୁଡ଼ି ଯାଇଛି ଜଣଙ୍କ ସୁନାର ସଂସାର। ସ୍ୱାମୀଙ୍କ ଋଣଦାତା ବାରମ୍ବାର ହଇରାଣ କରୁଥିବା ୨୩ ବର୍ଷୀୟ ପତ୍ନୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ ମାର୍ଚ୍ଚ ୧୮ ତାରିଖରେ କର୍ଣ୍ଣାଟକାର ଚିତ୍ରଦୁର୍ଗରେ ଏଭଳି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ମୃତ ମହିଳାଙ୍କ ସ୍ୱାମୀ ଦର୍ଶନ ବାବୁ ଜଣେ ଇଞ୍ଜିନିୟର। ୨୦୨୧ ଆଇପିଏଲ ମ୍ୟାଚରୁ ଦର୍ଶନ ବାବୁ ଟଙ୍କା ଲଗାଇବା ଆରମ୍ଭ କରିଥିଲେ। ବାରମ୍ବାର ହାରୁ ଥିଲେ ମଧ୍ୟ ତାଙ୍କର ବେଟିଂ ନିଶା ଛାଡୁ ନଥିଲା। ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଧାର ଆଣି ବେଟିଂ ମଧ୍ୟ ଲଗାଇଥିଲେ। ସେ ଆଇପିଏଲ ପ୍ରାୟ ୧ କୋଟି ଟଙ୍କା ବେଟିଂରେ ହାରି ଯାଇଥିଲେ। ଅପରପକ୍ଷେ ଋଣଦାତାମାନେ ବାରମ୍ବାର ଟଙ୍କା ମାଗୁଥିଲେ। ଏହାକୁ ନେଇ ଦର୍ଶନ ବାବୁଙ୍କ ପତ୍ନୀ ରଞ୍ଜିତା ବିଭିନ୍ନ କଥା ଶୁଣି ଆସୁଥିଲେ। ତେବେ ବାରମ୍ବାର ଋଣଦାତାଙ୍କ କଥା ଶୁଣି ନ ପାରି ଶେଷରେ ୨୩ ବର୍ଷୀୟ ରଞ୍ଜିତା ଚରମ ନିଷ୍ପତି ନେଇଥିଲେ। ଗତ ମାର୍ଚ୍ଚ ୧୮ ତାରିଖ ଦିନ ରଞ୍ଜିତା ତାଙ୍କ ଘର ଭିତରେ ବେକରେ ଶାଢ଼ୀ ବାନ୍ଧି ଝୁଲି ପଡ଼ିଥିଲେ।

ପୋଲିସ ସୂଚନା ଅନୁସାରେ, ଦର୍ଶନ ବାବୁ ହୋସାଦୁର୍ଗ ସ୍ଥିତ ଜଳସେଚନ ବିଭାଗରେ ଆସିସଷ୍ଟାଣ୍ଟ ଇଞ୍ଜିନିୟର ଭାବେ କାମ କରୁଥିଲେ। ଅଧିକ ଟଙ୍କା ପାଇବା ଲୋଭରେ ସେ ୨୦୨୧ରୁ ୨୦୨୩ ଯାଏ ଆଇପିଏଲର ବିଭିନ୍ନ ମ୍ୟାଚ୍‌ରେ ବେଟିଂ ଲଗାଇ ଚାଲିଥିଲେ। ଏଥିଯୋଗୁ ଦମ୍ପତିଙ୍କ ଆର୍ଥିକ ସ୍ଥିତି ବିଗିଡ଼ିବା ଆରମ୍ଭ ହୋଇଥିଲେ। ଶେଷରେ ଦର୍ଶନ ବାବୁ ୧.୫ କୋଟି ଟଙ୍କା ଋଣ ଆଣି ବେଟିଂ ଲଗାଇଥିଲେ। ତେବେ ଏତେ ପରିମାଣର ଟଙ୍କା ସେ ବେଟିଂରେ ହାରି ଯାଇଥିଲେ। ତଥାପି ବିଭିନ୍ନ ସୂତ୍ରରୁ ସେ ଟଙ୍କା ପାଇବା ସହ ୧ କୋଟି ଟଙ୍କାର ଋଣ ଶୁଝି ଥିଲେ। ତଥାପି ତାଙ୍କ ଉପରେ ଏବେ ବି ୮୪ ଲକ୍ଷ ଟଙ୍କାର ଋଣ ରହିଛି। ଆଉ ଏସବୁକୁ ନେଇ ଦର୍ଶନ ବାବୁଙ୍କ ପତ୍ନୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ ତଦନ୍ତ ବେଳେ ପୋଲିସ ଗୋଟିଏ ସୁଇସାଇଡ ନୋଟ ଜବତ କରିଛି। ଏଥିରେ ରଞ୍ଜିତା ସାମ୍ନା କରୁଥିବା ସମସ୍ୟା ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

Get real time updates directly on you device, subscribe now.