fbpx

ଚୟନକର୍ତ୍ତାଙ୍କ ପରେ ମେଣ୍ଟାଲ କୋଚଙ୍କ ହେବ ଦଳରୁ ଛୁଟି, ଦ୍ରାବିଡଙ୍କ ଅନୁରୋଧରେ ପେଡି ଅପଟନଙ୍କୁ ମିଳିଥିଲା ନିଯୁକ୍ତି  

ମୁମ୍ବାଇ: ଟି-୨୦ ବିଶ୍ଵ କପ୍ ୨୦୨୨ରେ ସେମି ଫାଇନାଲରେ ଭାରତୀୟ ଦଳର ପରାଜୟ ପରେ ଚେତନ ଶର୍ମାଙ୍କ ନେତୃତ୍ଵାଧୀନ ଚୟନ କମିଟିକୁ ବିସିସିଆଇ ଭଙ୍ଗ କରିଥିଲା। ଏବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ମେଣ୍ଟାନ କଣ୍ଡିସନିଂ କୋଚ୍ ପେଡି ଅପଟନଙ୍କ କାର୍ଯ୍ୟକାଳ ନ ବଢାଇବାକୁ ନିଷ୍ପତ୍ତି ନେଇଛି। ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳ ଆସନ୍ତା ସପ୍ତାହରେ ତିନି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ୍ ପାଇଁ ବାଂଲାଦେଶ ଗସ୍ତ କରିବ। ଏହି ଗସ୍ତରେ ଦଳ ସହିତ ଅପଟନଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ।
୫୩ ବର୍ଷୀୟ  ପେଡି ଅପଟନଙ୍କୁ ବିସିସିଆଇ ଚଳିତ ବର୍ଷ ଜୁଲାଇରେ ନିଯୁକ୍ତି ଦେଇଥିଲା। ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଟି-୨୦ ବିଶ୍ଵ କପକୁ ଦୃଷ୍ଟିରେ ରଖି ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷକ(ମେଣ୍ଟାଲ କଣ୍ଡିସନିଂ କୋଚ୍) ରଖିବାକୁ ଅନୁରୋଧ କରିଥିଲେ। ପେଡି ଅପଟନ ଭାରତର ଓ୍ଵେଷ୍ଟଇଣ୍ଡିଜ ଗସ୍ତରୁ ନିଜର ସେବା ଆରମ୍ଭ କରିଥିଲେ ଏବଂ ଟି-୨୦ ବିଶ୍ଵ କପ ପୂରା ହେବା ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ଥିଲା। ଟି-୨୦ ବିଶ୍ଵ କପ୍ ସରିବା ପରେ ବିସିସିଆଇ ତାଙ୍କର କାର୍ଯ୍ୟକାଳ ନବଢାଇବାକୁ ନିଷ୍ପତ୍ତି ନେଇଛି। ଫଳରେ ଅପଟନଙ୍କ ଭାରତୀୟ ଦଳରୁ ଛୁଟି ହେବାକୁ ଯାଉଛି।
ଟି-୨୦ ବିଶ୍ଵ କପ ସମୟରେ ଭାରତର ପୂର୍ବତନ ଖେଳାଳି ସୁନିଲ ଗାଭାସ୍କର ଟୁର୍ଣ୍ଣାମେଣ୍ଟରେ ସଂଘର୍ଷ କରୁଥିବା କେଏଲ ରାହୁଲଙ୍କ ସହିତ କିଛି କାମ କରୁନଥିବାରୁ ପେଡି ଅପଟନଙ୍କ ଖୁବ୍ ସମାଲୋଚନା କରିଥିଲେ। ପେଡି ଅପଟନଙ୍କ ଏଥର କାର୍ଯ୍ୟକାଳ ନିରାଶଜନକ ରହିଥିଲେ ହେଁ ସେ ୨୦୧୧ ବିଶ୍ଵ କପ୍ ବିଜେତା ଭାରତୀୟ ଦଳ ସହିତ ଜଡିତ ଥିଲେ। ସେହି ସମୟରେ ମୁଖ୍ୟ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟନ ତାଙ୍କୁ ଚୟନ କରିଥିଲେ। ସେ ଚାପ ସମୟରେ ଦଳ ସହିତ ଭଲ କାମ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଭାରତୀୟ ଦଳ ସହିତ ପେଡି ଅପଟନଙ୍କ ପ୍ରଥମ କାର୍ଯ୍ୟକାଳ ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ଥିଲା। ଏହି ସମୟରେ ମେଣ୍ଟାଲ କଣ୍ଡିସନିଂ କୋଚ୍ ଏବଂ ଷ୍ଟ୍ରାଟେଜିକ୍ ଲିଡରସିପ କୋଚର ଦାୟିତ୍ଵ ନିଭାଇଥିଲେ। ରାହୁଲ ଦ୍ରାବିଡଙ୍କ ସହିତ ଅନେକ ଖେଳାଳିଙ୍କ ସହ ତାଙ୍କର ଭଲ ସଂପର୍କ ରହିଥିଲା। ଭାରତ ସେହି ସମୟରେ କିଛି ସମୟ ପାଇଁ ଟେଷ୍ଟ ମାନ୍ୟତାର ଶୀର୍ଷରେ ରହିଥିଲା। ପରେ ରାହୁଲ ଦ୍ରାବିଡ ଏବଂ ଅପଟନ ମିଶି ରାଜସ୍ଥାନ ରୟାଲ୍ସ ସହିତ କୋଚ୍ ଭାବେ କାମ କରିଥିଲେ।

Get real time updates directly on you device, subscribe now.