ବ୍ୟାଟିଂ ପରେ ବୋଲିଂରେ ବି ଜଲୱା ଦେଖାଇଲା ଟିମ ଇଣ୍ଡିଆ: ମାତ୍ର 217ରେ ଚିତପଟାଙ୍ଗ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚକୁ ବଡ଼ ବ୍ୟବଧାନରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ବିଜୟ ସହ ସିରିଜ ହାତେଇଛି ରାହୁଲ ସେନା । ପ୍ରଥମେ ବ୍ୟାଟିଂ ଏବଂ ପରେ ବୋଲିଂରେ କମାଲ କରି ଭାରତ ଅଷ୍ଟ୍ରେଲିଆ ହାତରୁ ସିରିଜ ଛଡ଼ାଇ ଆଣିଛି । ଭାରତର ୪୦୦ ରନ୍ ଲକ୍ଷ୍ୟକୁ ପିଛା କରି ମାତ୍ର ୨୧୭ ରନରେ ଅଲ ଆଉଟ ହୋଇ ଚିତପଟାଙ୍ଗ ମାରିଛି ଅଷ୍ଟ୍ରେଲିଆ ଦଳ । ଏଥିସହ ଦିନିକିଆ ସିରିଜ ମଧ୍ୟ ହାତଛଡ଼ା କରିଛି । ବିଶ୍ୱକପ ପୂର୍ବରୁ ଦକ୍ଷିଣ ଆଫ୍ରିକା ଏବଂ ବର୍ତ୍ତମାନ ଭାରତ ପାଖରୁ ସିରିଜ ହାରିବା ପରେ ଆତ୍ମବିଶ୍ୱାସ ହରାଇଛି ଅଷ୍ଟ୍ରେଲିଆ ।

ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଲଗାତାର ବିଜୟ ହାସଲ କରି ସିରିଜ ଉପରେ କବଜା କରିଛି ଟିମ ଇଣ୍ଡିଆ । ଆଜିର ମ୍ୟାଚରେ ଭାରତ ଦମଦାର ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ୪୦୦ ରନର ବଡ଼ ଟାର୍ଗେଟ ଦେଇଥିଲା । କିନ୍ତୁ ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତର ଦବଦବା ଦେଖିବାକୁ ମିଳିଛି । ବର୍ଷା ପରେ ଟିମ ଇଣ୍ଡିଆର ବୋଲିଂ ୟୁନିଟ ମାତ୍ର ୨୧୭ ରନରେ ଅଷ୍ଟ୍ରେଲିଆର ସମସ୍ତ ଖେଳାଳିଙ୍କୁ ପାଭିଲିୟନ ପଠାଇବାରେ ସଫଳ ହୋଇଛି । ୯୯ ରନରେ ଏହି ମ୍ୟାଚ ବିଜୟ ହାସଲ କରିବା ସହ ଦିନିକିଆ ସିରିଜ ଉପରେ କବଜା କରିଛି ରାହୁଲ ସେନା । ତେବେ ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର ପ୍ଲେୟର ସିନ୍ ଆବୋଟ ସର୍ବାଧିକ ୫୪ ରନ୍ କରିଥିବା ବେଳେ ଡାଭିଡ ୱାର୍ଣ୍ଣର ୫୩ ରନ୍ କରିଛନ୍ତି । ତାଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ବଡ଼ ସ୍କୋର କରିବାରେ ସମର୍ଥ ହୋଇ ନାହାନ୍ତି । ଯାହା ଫଳରେ ଅଷ୍ଟ୍ରେଲିଆ ଡକୱର୍ଥ ଲୁଇସ ନିୟମ ଅନୁସାରେ ୯୯ ରନ୍ ରେ ପରାସ୍ତ ହୋଇଛି ।

ଭାରତ ପକ୍ଷରୁ କମବ୍ୟାକ ବୋଲର ତଥା ଭେଟେରାନ୍ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଏବଂ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ପ୍ରସିଦ୍ଧ କୃଷ୍ଣା ୨ଟି ଶିକାର କରିଛନ୍ତି । ଏହାବ୍ୟତୀତ ମହମ୍ମଦ ଶାମୀ ଗୋଟିଏ ସଫଳତା ହାସଲ କରିଛନ୍ତି । ବର୍ଷା ଯୋଗୁଁ ଅଷ୍ଟ୍ରେଲିଆକୁ ୪୦୦ ପରିବର୍ତ୍ତେ ୩୧୭ ରନର ଟାର୍ଗେଟ ଦିଆଯାଇଥିଲା । କିନ୍ତୁ ଏହି ଲକ୍ଷ୍ୟରୁ ମଧ୍ୟ ୯୯ ରନ୍ ଦୂରରେ ରହିଯାଇଛି କଙ୍ଗାରୁ ଦଳ । ତେବେ ଏହି ମ୍ୟାଚରେ ପରାଜୟ ସହିତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ମଧ୍ୟ ହାତଛଡ଼ା କରିଛି ଅଷ୍ଟ୍ରେଲିଆ ।