ଅଘଟଣ ପରେ ଚେତିଲା ପ୍ରଶାସନ, ମହାକୁମ୍ଭରେ ଭିଆଇପିଙ୍କ ପାସ୍ ବାତିଲ କଲେ ସରକାର

ମହାକୁମ୍ଭରେ ବଡ଼ ଅଘଟଣ ପରେ ସବୁ ଭିଆଇପିଙ୍କ ପାସ ବାତିଲ କରିବାକୁ ନିର୍ଦ୍ଦେଶ ଦେଲେ ସରକାର। ମେଳାରେ ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ପରେ ଚେତିଛି ପ୍ରଶାସନ। 

ପ୍ରୟାଗରାଜ: ଲୋକଙ୍କ ଜୀବନ ଗଲା ପରେ ସରକାରଙ୍କ ଚେତା ପଶିଲା। ମହାକୁମ୍ଭରେ ବଡ଼ ଅଘଟଣ ପରେ ସବୁ ଭିଆଇପିଙ୍କ ପାସ ବାତିଲ କରିବାକୁ ନିର୍ଦ୍ଦେଶ ଦେଲେ ସରକାର। ମେଳାରେ ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ପରେ ଚେତିଛି ପ୍ରଶାସନ।

ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଉତ୍ତରପ୍ରଦେଶ ଡିଜିପି ପ୍ରଶାନ୍ତ କୁମାର ଆଜି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଯେପରି ଶ୍ରଦ୍ଧାଳୁଙ୍କର କୌଣସି ଅସୁବିଧା ନହୁଏ ସେଥିପାଇଁ ସୁରକ୍ଷା ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି।

କ’ଣ ବନ୍ଦ କରିବାକୁ ନିର୍ଦ୍ଦେଶ: ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଭିଆଇପିଙ୍କ ପାସକୁ ବାତିଲ୍ କରିଛନ୍ତି। କେବଳ ଭିଆଇପିଙ୍କ ପାସ୍ ବାତିଲ୍ ହୋଇଛି ତାହା ନୁହେଁ। ଏହାସହ ମହାକୁମ୍ଭ ମେଳାରେ ଯାନବାହନ ପ୍ରବେଶ ଉପରେ ମଧ୍ୟ ରୋକ ଲାଗିଛି।

ଶ୍ରଦ୍ଧାଳୁଙ୍କ ଯାତାୟତ ପାଇଁ ଓ୍ୱାନ-ଓ୍ୱେ ଟ୍ରାଫିକର ବ୍ୟବସ୍ଥା କରାଯାଇଛି। ଅନ୍ୟ ରାଜ୍ୟର ଗାଡ଼ିକୁ ପ୍ରୟାଗରାଜ ଜିଲ୍ଲା ସୀମାରେ ଅଟକା ଯାଇଛି। ଯଦ୍ୱାରା କୁମ୍ଭମେଳାରେ ଅଘଟଣର ଚାନ୍ସ କମିଯିବ। ଏହାସହ ୪ ଚକିଆ ଗାଡ଼ି ପ୍ରବେଶକୁ ମଧ୍ୟ ବାତିଲ୍ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ମହାକମ୍ଭ ଡିଆଇଜି ବୈଭବ କ୍ରିଷ୍ଣା।

ମହାକୁମ୍ଭରେ ଅଘଟଣ: ମୋନୀ ଅମାବାସ୍ୟା ପାଇଁ ମହାକୁମ୍ଭ ମେଳାରେ ପ୍ରବଳ ଭିଡ଼ ହୋଇଛି । ଗତ ଦୁଇ ଦିନରେ ମେଳାରେ ସାଢେ ୧୨ କୋଟି ଲୋଙ୍କ ସମାଗମ ହୋଇଥିଲା। ଯାହା ଉତ୍ତରପ୍ରଦେଶ ଜନସଂଖ୍ୟାର ଅଧା। ଯେଉଁଥିପାଇଁ ଏଭଳି ସ୍ଥିତି ଉପୁଜିଥିଲା ବୋଲି କୁହାଯାଉଛି।

ଯେଉଁଥିପାଇଁ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଏବଂ ୩୦ଜଣଙ୍କର ଜୀବନ ମଧ୍ୟ ଚାଲିଗଲା। ତେଣୁ ଯେପରି ଆଗକୁ ଏହିଭଳି ପରିସ୍ଥିତି ନ ଉପୁଜେ ଏବଂ ବିଶେଷ କରି ଭିଆଇପିଙ୍କ ପାଇଁ ଯେପରି ଭିଡ଼ ନଜମେ ସେଥିପାଇଁ ଭିଆଇପିଙ୍କ ପାସକୁ ବାତିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ।