fbpx

ମନ୍ତ୍ରୀ ପଦ ପରେ କ୍ୟାବିନେଟ୍ କମିଟିରେ ଅଶ୍ଵିନୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ମନସୁଖଙ୍କୁ ମିଳିଲା ଗୁରୁ ଦାୟିତ୍ଵ

Advertisement

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ ସଂପ୍ରସାରଣ ପରେ କ୍ୟାବିନେଟ୍ କମିଟିରେ ହୋଇଛି ବଡ ଧରଣର ଅଦଳବଦଳ। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀଙ୍କୁ ଏବେ ଅଲଗା ଅଲଗା କ୍ୟାବିନେଟ୍ କମିଟିରେ ସ୍ଥାନ ମିଳିଛି। ସୋମବାର କମିଟିର ପୁନର୍ଗଠନ ହୋଇଛି। ଏଥିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅଶ୍ଵିନୀ ବୈଷ୍ଣବ, ସର୍ବାନନ୍ଦ ସୋନଓ୍ଵାଲ ଓ ମନସୁଖ ମାଣ୍ଡଭିୟଙ୍କୁ  ସ୍ଥାନ ମିଳିଛି। ରାଜନୈତିକ ମାମଲାର କ୍ୟାବିନେଟରେ ଭୂପେନ୍ଦ୍ର ଯାଦବ, ସର୍ବାନନ୍ଦ ସୋନଓ୍ଵାଲ ଓ ମନସୁଖ ମାଣ୍ଡଭିୟଙ୍କୁ ସାମିଲ କରାଯାଇଛି। ଏହା ବ୍ୟତୀତ ଗିରିରାଜ ସିଂହ ଓ ସ୍ମୃତି ଇରାନୀଙ୍କୁ ମଧ୍ୟ ଏହି କମିଟିର ସଦସ୍ୟ କରାଯାଇଛି। ଏହି ସମସ୍ତ ନେତାଙ୍କୁ ରାମବିଳାସ ପାସଓ୍ଵାନ, ରବିଶଙ୍କର ପ୍ରସାଦ ଓ ହର୍ଷବର୍ଦ୍ଧନଙ୍କ ପରି ନେତାଙ୍କ ଜାଗାରେ ସାମିଲ୍ କରାଯାଇଛି।

କେନ୍ଦ୍ର ଓ ରାଜ୍ୟ ସରକାର ସଂପର୍କିତ ମାମଲାରେ ଏହି କମିଟିର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥାଏ। ଏହା ବ୍ୟତୀତ ଆର୍ଥିକ ଓ ରାଜନୈତକ ମାମଲା ଉପରେ ନିଷ୍ପତ୍ତି ନେବାରେ ମଧ୍ୟ ଏହି କମିଟିର ମତାମତ ମହତ୍ଵପୂର୍ଣ୍ଣ ରହିଥାଏ। ଏହା ବାଦ୍ ପୁଞ୍ଜି ନିବେଶ ଓ ଅଭିବୃଦ୍ଧି ଉପରେ ନଜର ରଖୁଥିବା କମିଟିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ନାରାୟଣ ରାଣେ ଓ ଅଶ୍ଵିନୀ ବୈଷ୍ଣବଙ୍କୁ ସାମିଲ୍ କରାଯାଇଛି। ଏହି ସମିତି ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବା ଏବଂ ଅନ୍ୟ କାମ ଉପରେ ନଜର ରଖିଥାନ୍ତି। ୧୦୦୦ କୋଟି କିମ୍ବା ସେଥିରୁ ଅଧିକ ପୁଞ୍ଜି ନିବେଶ ମାମଲାରେ ଏହି କମିଟି ନିଷ୍ପତ୍ତି ନେଇଥାଏ। ଏହି କମିଟି ଇନଫ୍ରାଷ୍ଟ୍ରକଚର, ମ୍ୟାନୁଫେକଚରିଂ ଓ ଅନ୍ୟ ମାମଲା ଉପରେ ନିଷ୍ପତ୍ତି ନେଇଥାଏ।

ମୋଦୀ ସରକାରଙ୍କ ପକ୍ଷରୁ ୨୦୧୯ରେ ଦୁଇଟି ନୂତନ କମିଟି ଗଠନ କରାଯାଇଥିଲା। ତାହା ହେଉଛି ନିବେଶ ଓ ଅଭିବୃଦ୍ଧି ଏବଂ ରୋଜଗାର ଓ ଦକ୍ଷତା ବିକାଶ। ଅଶ୍ଵିନୀ ବୈଷ୍ଣବ ଓ ଭୂପେନ୍ଦ୍ର ଯାଦବଙ୍କୁ ରୋଜଗାର ଏବଂ ଦକ୍ଷତା ବିକାଶ ଉପରେ ଗଠିତ କମିଟିରେ ସାମିଲ୍ କରାଯାଇଛି। ସଂସଦୀୟ ମାମଲାରେ କ୍ୟାବିନେଟ୍ କମିଟିରେ ଆଇନ ମନ୍ତ୍ରୀ କିରଣ ରିଜିଜୁ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, ସାମାଜିକ ନ୍ୟାୟ ମନ୍ତ୍ରୀ ବୀରେନ୍ଦ୍ର କୁମାର ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ସାମିଲ୍ କରାଯାଇଛି। ଏହି କମିଟି ସଂସଦ ଅଧିବେଶନର କାର୍ଯ୍ୟସୂଚୀ ଓ ଉପସ୍ଥାପନ ହେବାକୁ ଥିବା ବିଧେୟକ ଉପରେ ନିଷ୍ପତ୍ତି ନେଇଥାନ୍ତି।

କ୍ୟାବିନେଟ୍ ନିଯୁକ୍ତି କମିଟିରେ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହା ମଧ୍ୟ ସାମିଲ୍। ଏହା ବ୍ୟତୀତ ଆର୍ଥିକ ମାମଲାର କମିଟିରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରହିଛନ୍ତି। ତାଙ୍କ ବ୍ୟତୀତ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ନୀତିନ ଗଡକରୀ ଓ ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ମଧ୍ୟ ସାମିଲ୍ କରାଯାଇଛି। ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କମିଟିର ସଦସ୍ୟ ଅଛନ୍ତି।

Get real time updates directly on you device, subscribe now.