fbpx

ବଡ଼ ବିଚିତ୍ର କଥା! ଅଲିମ୍ପିକ୍ସରେ ୬ଟି ପଦକ ଜିତି ଭାରତ ପଛରେ ରହିଲା, ମାତ୍ର ୧ଟି ପଦକ ଜିତି ପାକିସ୍ତାନ ଆଗରେ ରହିଲା କେମିତି?

ନୂଆଦିଲ୍ଲୀ: ଚଳିତ ପ୍ୟାରିସ ଅଲିମ୍ପିକ୍ସର ଆଜି ହେଉଛି ଅନ୍ତିମ ତଥା ଉଦଯାପନୀ ଦିବସ । ଜୁଲାଇ ୨୬ରୁ ଆରମ୍ଭ ହୋଇଥିବା ଏହି ବିଶ୍ୱ କ୍ରୀଡ଼ା ମହାକୁମ୍ଭରେ ବିଭିନ୍ନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରି ବିଭିନ୍ନ ରାଷ୍ଟ୍ରର ଆଥଲେଟମାନେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି । ଚଳିତ ଅଲିମ୍ପିକ୍ସରେ ଭାରତ ବର୍ତ୍ତମାନ ସୁଦ୍ଧା ଗୋଟିଏ ରୌପ୍ୟ ଓ ୫ଟି ବ୍ରୋଞ୍ଜକୁ ମିଶାଇ ମୋଟ ୬ଟି ପଦକ ଜିତିଛି । ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କ ରୌପ୍ୟ ପଦକ ସୁନିଶ୍ଚିତ ହୋଇଥିବା ବେଳେ ମାତ୍ର ୧୦୦ ଗ୍ରାମର ଅଧିକ ଓଜନ କାରଣରୁ ସେ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏଥିସହିତ ଅନ୍ୟ କିଛି ଭାରତୀୟ ଆଥଲେଟ୍ସ ମାତ୍ର କିଛି ପଏଣ୍ଟ ପାଇଁ ପଦକ ବିଜୟରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି ।

ତେବେ ଚଳିତ ଅଲିମ୍ପିକ୍ସରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ପଦକ ବିଜୟ ରାଙ୍କିଂରେ ୩୯ଟି ସ୍ୱର୍ଣ୍ଣ, ୨୭ଟି ରୌପ୍ୟ, ୨୪ଟି କାଂସ୍ୟ ପଦକ ସହ ଚୀନ ମୋଟ ୯୦ଟି ପଦକ ଜିତି ପ୍ରଥମ ସ୍ଥାନରେ ରହିଛି । ସେହିପରି ଆମେରିକା ୩୮ଟି ସ୍ୱର୍ଣ୍ଣ ସହ ୧୨୨ଟି ପଦକ ଜିତି ଦ୍ୱିତୀୟ ସ୍ଥାନରେ ଓ ୧୮ଟି ସ୍ୱର୍ଣ୍ଣ ସହ ୫୦ଟି ପଦକ ଜିତି ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି । ତେବେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ବିଚିତ୍ର ଘଟଣା । ଭାରତ ଅଧିକ ପଦକ ଜିତିଥିଲେ ହେଁ ପାକିସ୍ତାନଠାରୁ ପଛରେ ରହିଛି । ଅନେକ ପ୍ରଶଂସକ ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଭାରତ ଓ ପାକିସ୍ତାନ ପରି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ଲଢ଼େଇ ସର୍ବଦା କ୍ରିକେଟ ମୈଦାନରେ ଦେଖିବାକୁ ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ଉତ୍ସୁକତାର ସହିତ ଚାହିଁ ରହିଥାନ୍ତି । ତେବେ ଚଳିତ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋ’ରେ ପାକିସ୍ତାନ ଏକମାତ୍ର ପଦକ ଜିତିଥିଲା । ଅର୍ଶଦ ନଦୀମ ୯୨.୯୭ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଭାରତୀୟ ଆଥଲେଟ ନୀରଜ ଚୋପ୍ରା ୮୯.୪୫ ମିଟର ଥ୍ରୋ କରି ରୌପ୍ୟ ପଦକ ପାଇଥିଲେ । ଅଲିମ୍ପିକ୍ସରେ ପଦକ ଜିତିବା ସବୁ ଦେଶର ଆଥଲେଟ୍ସଙ୍କ ପାଇଁ ଏକ ସ୍ୱପ୍ନ ସଦୃଶ ହୋଇଥାଏ । ଭାରତୀୟ ଆଥଲେଟ୍ସ ନୀରଜ ଅନେକ ବିଶ୍ୱସ୍ତରୀୟ ଇଭେଣ୍ଟରେ ଅଧିକାଂଶ ସମୟରେ ସ୍ୱର୍ଣ୍ଣ ଜିତିଥାନ୍ତି । ତେବେ ଭାଗ୍ୟ ଦେବୀ ସହାୟ ହେବା ଫଳରେ ଚଳିତ ଥର ଅର୍ଶଦ ନଦୀମ ସ୍ୱର୍ଣ୍ଣ ଜିତିପାରିଥିଲେ । ସାଧାରଣ ଭାବେ ଅଲିମ୍ପିକ୍ସର ନିୟମ ମୁତାବକ, ଅଧିକ ସ୍ୱର୍ଣ୍ଣ ଜିତିଥିବା ଦେଶର ରାଙ୍କ ଆଗରେ ରହିବ । ସେହି କାରଣରୁ ଫ୍ରାନ୍ସ ୧୬ଟି ସ୍ୱର୍ଣ୍ଣ ସହ ମୋଟ ୬୨ଟି ପଦକ ଜିତିଥିବା ବେଳେ ସେ ପଞ୍ଚମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ୧୮ଟି ସ୍ୱର୍ଣ୍ଣ ସହ ମୋଟ ୪୩ଟି ପଦକ ଜିତିଥିବା ଜାପାନ ଚତୁର୍ଥ ସ୍ଥାନରେ ରହିଛି । ଅନୁରୂପ ଭାବେ ବିନା ସ୍ୱର୍ଣ୍ଣରେ ୬ଟି ପଦକ ଜିତିଥିବା ଭାରତ ପଦକ ତାଲିକା ରାଙ୍କିଂରେ ୭୧ତମ ସ୍ଥାନରେ ରହିଥିବା ବେଳେ ଏକମାତ୍ର ସ୍ୱର୍ଣ୍ଣ ଜିତି ପାକିସ୍ତାନ ୬୨ତମ ସ୍ଥଶନରେ ରହିବାର ସୌଭାଗ୍ୟ ଲାଭ କରିଛି ।

Get real time updates directly on you device, subscribe now.