ନାତି ଦୋକାନରେ ଶୋଇଥିଲା, ଜେଜେମା’ ଚା’ ପ୍ରସ୍ତୁତ କରୁଥିଲେ, ହଠାତ୍ ଖସିଲା ଜଳନ୍ତା ବିମାନ

ଏ କାହାଣୀ ରାସ୍ତା କଡ଼ରେ ଏକ ଚା ଦୋକାନ କରୁଥିବା ଜଣେ ମହିଳାଙ୍କର । ଯିଏ ଏବେ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ । ନିଜେ ଦରପୋଡା ହେବା ସହ ବିମାନ ଦୁର୍ଘଟଣାରେ ଚାଲିଯାଇଛି ତାଙ୍କ ନାତିଙ୍କ ଜୀବନ ।

ଅହମ୍ମଦାବାଦ:  ମେଘାନୀନଗର ବିମାନ ଦୁର୍ଘଟଣା ଛାଡିଯାଇଛି ଅନେକ ଛାପ । ଅନେକ ମୃତଦେହ ଏବେ ଖୋଜୁଛି ପରିଚୟ । ଡିଏନ୍‌ଏ ରିପୋର୍ଟ ପରେ ସବୁକିଛି ସ୍ପଷ୍ଟ ହେଉଛି । ବିମାନ କ୍ରାସ ଛିଡାକରିଯାଇଛି ଅନେକ କରୁଣ କାହାଣୀ । ଏମିତି ଗୋଟିଏ କାହାଣୀ ରାସ୍ତା କଡ଼ରେ ଏକ ଚା ଦୋକାନ କରୁଥିବା ଜଣେ ମହିଳାଙ୍କର । ଯିଏ ଏବେ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ । ନିଜେ ଦରପୋଡା ହେବା ସହ ବିମାନ ଦୁର୍ଘଟଣାରେ ଚାଲିଯାଇଛି ତାଙ୍କ ନାତିଙ୍କ ଜୀବନ ।

ଯେତେବେଳେ ଅହମ୍ମଦାବାଦ ହଷ୍ଟେଲରେ ଡାକ୍ତରଙ୍କୁ ଚା ପରଷୁଥିଲେ, ସେତେବେଳେ ଜେଜେମାଆଙ୍କ ସାମ୍ନାରେ ବିମାନ ଦୁର୍ଘଟଣା ଘଟିଥିଲା, ସେ କାନ୍ଦି କାନ୍ଦି କହିଥିଲେ- ‘ମୋ ନାତି ସେଠାରେ ଶୋଇଛି..’, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସେଦିନ କ’ଣ ଘଟିଥିଲା?

ସୀତାବେନ୍ ନାମକ ଜଣେ ମହିଳା ମେଘାନୀନଗର ଅଞ୍ଚଳରେ ତାଙ୍କର ଗୋଟିଏ ଚା ଦୋକାନ ଚଳାନ୍ତି । ସେଦିନ ଥିଲା 12 ଜୁନ୍ , ସମୟ ଅପରାହ୍ନ 1.39 । ସୀତାବେନଙ୍କ 16 ବର୍ଷର ନାତି ଆକାଶ, ଷ୍ଟଲ ପାଖରେ ବିଶ୍ରାମ ନେଉ ନେଉ ଶୋଇପଡ଼ିଥିଲେ। ସୀତାବେନ୍ ଚା ତିଆରି କରୁଥିବା ସମୟରେ ହଠାତ୍ ଏକ ବଡ଼ ବିସ୍ଫୋରଣ ହେଲା। ପାଖରେ ଏୟାର ଇଣ୍ଡିଆର ବିମାନ ଆସି ପଡ଼ିଗଲା ଏବଂ ଚତୁର୍ଦିଗ ଅଗ୍ନିଗୋଲାରେ ପରିଣତ ହୋଇଗଲା।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ନିଆଁ ପାଖ ଦୋକାନ ଏବଂ ଷ୍ଟଲଗୁଡ଼ିକୁ ବ୍ୟାପିଗଲା। ସେଠାରେ ଶୋଇଥିବା ଆକାଶ ମଧ୍ୟ ନିଆଁରେ ଫସିଗଲେ। ତାଙ୍କ ନାତିକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ସୀତାବେନ୍ ମଧ୍ୟ ଗୁରୁତର ଭାବରେ ପୋଡ଼ିଗଲେ।

ଘଟଣାର ସୂଚନା ପାଇବା ମାତ୍ରେ ପରିବାର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଲେ। ସୀତାବେନ୍ ଏବଂ ଆକାଶଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଦୁଃଖଦ ଖବର ହେଉଛି ଯେ, ଡାକ୍ତରମାନେ ଆକାଶଙ୍କୁ ମୃତ ଘୋଷଣା କରିଥିଲେ। ଆକାଶଙ୍କ ମାଉସୀ କାଜଲ କହିଛନ୍ତି ଯେ, ତାଙ୍କ 16 ବର୍ଷୀୟ ଆକାଶ ନିଆଁରେ ପୋଡ଼ି ଯାଇଥିଲା, ଯାହା ଯୋଗୁଁ ସେ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣା ସମଗ୍ର ପରିବାରକୁ ମର୍ମାହତ କରିଛି। ସୀତାବେନଙ୍କ ଅବସ୍ଥା ଏବେ ବି ଗୁରୁତର ଏବଂ ତାଙ୍କର ଚିକିତ୍ସା ଚାଲିଛି। ଫଳରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ଭୟଙ୍କର ବିମାନ ଦୁର୍ଘଟଣାର ଦୃଶ୍ୟ

ଗୁରୁବାର ଅପରାହ୍ନ 1.39 ରେ ଘଟିଥିବା ଏହି ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଦୁର୍ଘଟଣାରେ 274 ଜଣଙ୍କର ମୃତ୍ୟୁ ହୋଇଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ମାତ୍ରେ ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇଗଲା, ଯାହା ଫଳରେ ମୃତଦେହଗୁଡ଼ିକୁ ଚିହ୍ନଟ କରିବା କଷ୍ଟକର ହୋଇଗଲା। ବିମାନଟି ପ୍ରଥମେ ବିଜେ ମେଡିକାଲ କଲେଜର ମେସ୍ କୋଠାରେ ଧକ୍କା ହୋଇଥିଲା, ତା’ପରେ ଅତୁଲ୍ୟମ୍ ହଷ୍ଟେଲରେ ଧକ୍କା ହୋଇ ନିଆଁରେ ସମ୍ପୁର୍ଣ୍ଣ ପୋଡ଼ିଗଲା। ଚାରିଆଡ଼େ ଧୂଆଁ ଏବଂ ଭଗ୍ନାବଶେଷ ବିଛାଡ଼ି ହୋଇପଡ଼ିଥିଲା । ଆଉ ସବୁଆଡ଼େ କେବଳ ଚିତ୍କାର ହି ଚିତ୍କାର ଶୁଭୁଥିଲା। ବିମାନରେ ମୋଟ 242 ଜଣ (12 ଜଣ କ୍ରୁ ସଦସ୍ୟ ଏବଂ 230 ଜଣ ଯାତ୍ରୀ) ଥିଲେ।