fbpx

AIIMS ଭୁବନେଶ୍ୱରକୁ ଆଉ ଏକ ସଫଳତା: ଜାତୀୟ ସ୍ତରରେ ଆବାସିକ ଡାକ୍ତରୀ ଛାତ୍ରଙ୍କ କୃତିତ୍ବ

ଭୁବନେଶ୍ୱର: ପ୍ରଥମ ଦଶନ୍ଧିରେ ଚମତ୍କାର ଯାତ୍ରାରେ ଏମ୍ସ ଭୁବନେଶ୍ବର ପାଇଁ ଜାତୀୟ ସ୍ତରରେ ଆଣିଛି କୃତିତ୍ବ। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ୬ଜଣ ଆବାସିକ ଡାକ୍ତରୀ ଛାତ୍ର ତିନି ଭିନ୍ନ ଭିନ୍ନ ଜାତୀୟ ଶୈକ୍ଷିକ କାର୍ଯ୍ୟକ୍ରମର ସଂପୃକ୍ତ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ଗୌରବ ଆଣିଛନ୍ତି।
ଏମ୍ସ ଭୁବନେଶ୍ୱର ପିଏମଆର (ଫିଜିକାଲ ମେଡିସିନ୍ ଏବଂ ପୁନର୍ବାସ) ବିଭାଗର ଜୁନିୟର୍ ରେସିଡେଣ୍ଟ୍ ଡ. ଦେବାଞ୍ଜନ ବରାଳ ଏବଂ ଡ. ସୌଭିକ୍ ଭଟ୍ଟାଚାର୍ଜୀଙ୍କୁ ନେଇ ଗଠିତ ଟିମ୍ ଏମ୍ସ ନାଗପୁରରେ ଅନୁଷ୍ଠିତ ଆଇଏପିଏମ୍ଆର (ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିକାଲ୍ ମେଡିସିନ୍ ଏବଂ ପୁନର୍ବାସ)ର ମିଡ୍ଟର୍ମ ସିଏମ୍ଇରେ ଆୟୋଜିତ କୁଇଜ୍ (ଅଫଲାଇନ୍ ମୋଡ୍) ରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜାତୀୟ ସ୍ତରୀୟ କୁଇଜରେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଏମ୍ସ ଭୁବନେଶ୍ବର ପିଆରଏମର ଟିମ୍ ଚାମ୍ପିଅନ୍ ହୋଇ ଇତିହାସ ସୃଷ୍ଟି କରିଛି। ଚଳିତ ବର୍ଷ ଏହାର ୫୦ତମ ଗୌରବମୟ ବର୍ଷ ପାଳନ କରୁଛି ଆଇଏପିଏମଆର । ଚଳିତ ବର୍ଷ ମାର୍ଚ୍ଚରେ ଦିଲ୍ଲୀରେ ଅନୁଷ୍ଠିତ ଏହି ଜାତୀୟ କୁଇଜ୍ ପ୍ରତିଯୋଗିତା (ଅନଲାଇନ)ରେ ମଧ୍ୟ ଏମ୍ସ ଭୁବନେଶ୍ବର ପ୍ରଥମ ସ୍ଥାନ ଅଧିକାର କରିଥିଲା ।

ବର୍ଣ୍ଣ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଆବାସିକ ଡାକ୍ତରୀ ଛାତ୍ର ଡ. କୌଶିକ ମହାଦିକ ଏବଂ ଡ. ଏମ୍ ବିଷ୍ଣୁ ସ୍ବରୂପ ରେଡ୍ଡୀଙ୍କୁ ନେଇ ଗଠିତ ଟିମ୍ ପୁନେ ସ୍ଥିତ ପ୍ରତିଷ୍ଠିତ ବିଜେ ସରକାରୀ ମେଡିକାଲ୍ କଲେଜ୍ ଏବଂ ସାଶୁନ୍ ଜେନେରାଲ୍ ହସ୍ପିଟାଲ୍ ପକ୍ଷରୁ ଭାସ୍କୁଲାର ଆକ୍ସେସ୍ ଅନ୍ ହେମୋଡାୟଲିସିସ୍–୨୦୨୨ ସନ୍ଦର୍ଭରେ ଆୟୋଜିତ ତୃତୀୟ ଜାତୀୟ ସିଏମ୍ଇରେ ମଧ୍ୟ ପ୍ରଥମ ପୁରସ୍କାର ଲାଭ କରିଛନ୍ତି। ସେହିଭଳି, ଏମ୍ସର ଫୁସ୍ଫୁସ୍ ଓ ଯକ୍ଷ୍ମା ବିଭାଗର ଆବାସିକ ଡାକ୍ତରୀ ଛାତ୍ର ଡ. ଦେବୋପମ୍ ଚାଟ୍ଟାର୍ଜୀ ଏବଂ ଡ. ରୋହିତ ଶିରଗାଓଁକାର ପଲ୍ମୋକନ୍-୨୦୨୨ ଜାତୀୟ କୁଇଜ୍ରେ ପ୍ରଥମେ ସ୍ଥାନ ଅଧିକାର କରି କୃତିତ୍ବ ହାସଲ କରିଛନ୍ତି। କୋଲକାତା ସ୍ଥିତ ସିଆଇଆଇ ସୁରେଶ ନେଟିଆ ସେଣ୍ଟରରେ ଇନଷ୍ଟିଚ୍ୟୁଟ୍ ଅଫ୍ ପଲ୍ମୋକେୟାର ଏବଂ ରିସର୍ଚ୍ଚ ଦ୍ୱାରା ଆୟୋଜିତ ୨୦ତମ “ପଲ୍ମୋନାରୀ ମେଡିସିନ୍ର ବାର୍ଷିକ” କାର୍ଯ୍ୟକ୍ରମ ଅବସରରେ ଏହା ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ଏମ୍ସ ଭୁବନେଶ୍ୱର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ବାସ ସମସ୍ତ କୃତି ଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଜି ନିଜ କାର୍ୟ୍ୟାଳୟରେ ବିଭାଗୀୟ ମୁଖ୍ୟଙ୍କ ସହିତ ସେମାନଙ୍କୁ ସମ୍ବର୍ନ୍ଧିତ କରିଥିଲେ। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏମ୍ସ ଭୁବନେଶ୍ବରର ଗୌରବ ବୃଦ୍ଧି ନିମନ୍ତେ ଛାତ୍ରଛାତ୍ରୀମାନେ ଏହିପରି ନିଷ୍ଠାପର ଉଦ୍ୟମ ଜାରି ରଖିବାକୁ ଆହ୍ବାନ କରିଥିଲେ ଡ. ବିଶ୍ବାସ। ଉଲ୍ଲେଖଯୋଗ୍ୟଯେ ଉପରୋକ୍ତ ତିନି ଜାତୀୟ କାର୍ୟ୍ୟକ୍ରମରେ ରାଜ୍ୟ ତଥା ଦେଶର ସଂଖ୍ୟାଧିକ ସରକାରୀ ଏବଂ ଘରୋଇ ମେଡିକାଲ୍ କଲେଜ୍ ଏବଂ ଏମ୍ସ ଭଳି ଅନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଡିନ୍ (ଏକାଡେମିକ୍) ଡ. ପି ଆର ମହାପାତ୍ର, କୁଳସଚିବ ବି ବି ମିଶ୍ର, ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ ଡ. ସଞ୍ଜୟ ଗିରି, ପିଏମ୍ଆର ବିଭାଗୀୟ ମୁଖ୍ୟ ଡ. ଜଗନ୍ନାଥ ସାହୁ ଏବଂ ଭାରପ୍ରାପ୍ତ ଡିଡିଏ ରଶ୍ମୀ ରଂଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ସଫଳ ପ୍ରତିଭାଙ୍କୁ ଅଭିନନ୍ଦନ ଜଣାଇଥିଲେ।

Get real time updates directly on you device, subscribe now.