ଟଳିଲା ବଡ଼ ବିମାନ ଦୁର୍ଘଟଣା, ପୁଣି ଏୟାର ଇଣ୍ଡିଆ ବିମାନ ସହ ଘଟିବାକୁ ଯାଉଥିଲା ଭୟଙ୍କର ଘଟଣା !
ଜରୁରୀକାଳୀନ ଅବତରଣ କଲା ବିମାନ।
ଜୟପୁର: ପୁଣି ଘଟିଥାନ୍ତା ଏକ ବଡ଼ ବିମାନ ଦୁର୍ଘଟଣା। ଅଳ୍ପକେ ବଞ୍ଚିଗଲା ଏୟାର ଇଣ୍ଡିଆର ବିମାନ। ଏୟାର ଇଣ୍ଡିଆର ବିମାନଟି ଜୟପୁରରୁ ଉଡ଼ାଣ ଭରିବା ଆରମ୍ଭ କରିବା ମାତ୍ରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଥିବା ଦେଖାଦେଇଥିଲା।
ଯାହା ଫଳରେ ବିମାନଟିକୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଲା। ଏହି ବିମାନଟି ଦିଲ୍ଲୀରୁ ମୁମ୍ୱାଇ ଅଭିମୁଖେ ଉଡ଼ାଣ ଭରୁଥିଲା। ଉଡ଼ାଣ ଆରମ୍ଭ କରିବାର ମାତ୍ର ୧୮ ମିନିଟ୍ ପରେ, ବିମାନଟିକୁ ପୁଣି ରନୱେରେ ଅବତରଣ କରିବାକୁ ପଡିଲା।
ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ AI-612 ଅପରାହ୍ନ ୧.୫୮ ରେ ଜୟପୁର ବିମାନବନ୍ଦରରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। କିନ୍ତୁ ଏହାର ଉଡ଼ାଣ ସମୟ ଥିଲା ଅପରାହ୍ନ ୧.୩୫।
ଏହି ବିମାନଟି ପ୍ରାୟ ୨୩ ମିନିଟ୍ ବିଳମ୍ବରେ ମୁମ୍ବାଇ ଅଭିମୁଖେ ଉଡ଼ାଣ କରିଥିଲା। ଉଡ଼ାଣ ଆରମ୍ଭ ହେବା ମାତ୍ରେ ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ପାଇଲଟ୍ ତ୍ରୁଟି ବିଷୟରେ ଜାଣିବା ମାତ୍ରେ ତୁରନ୍ତ ବିମାନକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ।
ବିମାନର ପାଇଲଟ୍ ଜୟପୁର ATC ରୁ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲେ। ବିମାନଟି ଅପରାହ୍ନ ୨.୧୬ ରେ ଜୟପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବର୍ତ୍ତମାନ ବିମାନର ଯାନ୍ତ୍ରିକ ତ୍ରୁଟି ସମ୍ୱନ୍ଧୀୟ ତଦନ୍ତ ଚାଲିଛି।