ପୁଣି ଉଦାରତା ଦେଖାଇଲେ ଅକ୍ଷୟ, ମାଙ୍କଡ଼ଙ୍କ ଖାଦ୍ୟ ପାଇଁ ଦାନ କଲେ ଏତିକି କୋଟି ଟଙ୍କା, ଜିତିଲେ ଫ୍ୟାନ୍ସଙ୍କ ହୃଦୟ

ନୂଆଦିଲ୍ଲୀ: ବଲିଉଡର ଖିଲାଡ଼ି କୁମାର ଭାବେ ବେଶ ଜଣାଶୁଣା ଅକ୍ଷୟ କୁମାର । ଫିଲ୍ମ ବ୍ୟତୀତ ସାମାଜିକ କାର୍ଯ୍ୟ ପାଇଁ ଅଧିକ ଚର୍ଚ୍ଚାରେ ରୁହନ୍ତି ଅକ୍ଷୟ । ବର୍ତ୍ତମାନ ପୁଣି ଥରେ ସେ ତାଙ୍କ ମହତ କାର୍ଯ୍ୟ ପାଇଁ ପ୍ରଶଂସାର ପାତ୍ର ପାଲଟିଛନ୍ତି ।
ଭଗବାନ ଶ୍ରୀ ରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ମାଙ୍କଡ଼ଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି । ଅଯୋଧ୍ୟାରେ ଥିବା ଭୋକିଲା ନିରୀହ ପ୍ରାଣିଙ୍କ ପାଇଁ ପ୍ରତିଦିନ ଖାଦ୍ୟ ବାବଦକୁ ପ୍ରାୟ ୧ କୋଟି ଟଙ୍କା ଦାନ କରିଛନ୍ତି । ଅକ୍ଷୟଙ୍କ ମାଆ ବାପା ହରିଓମ ଏବଂ ଅରୁଣା ଭାଟିଆ ଓ ଶ୍ୱଶୁର ରାଜେଶ ଖନ୍ନାଙ୍କ ନାଁରେ ଏହି ଦାନ କରାଯିବ । ଏକ ରିପୋର୍ଟରୁ ପ୍ରକାଶ କି ଅଞ୍ଜନେୟ ସେବା ଟ୍ରଷ୍ଟ ଦ୍ୱାରା ଅଯୋଧ୍ୟା ସ୍ଥିତ ଭୋକିଲା ମାଙ୍କଡ଼ମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅକ୍ଷୟଙ୍କ ନିକଟରେ ଆଗ୍ରହ ପ୍ରକାଶ କରିଥିଲେ । ଏହି ଟ୍ରଷ୍ଟ ଜଗଦଗୁରୁ ସ୍ୱାମୀ ରାଘବାଚାର୍ଯ୍ୟଜୀ ମହାରାଜଙ୍କ ମାର୍ଗଦର୍ଶନରେ କାର୍ଯ୍ୟ କରିଥାଏ ।

ଅଯୋଧ୍ୟାର ମାଙ୍କଡ଼ଙ୍କୁ ସେହି ବାନର ସେନାର ପ୍ରତୀକ ଭାବେ ବିବେଚିତ କରାଯାଇଛି ଯେଉଁମାନେ ଭଗବାନ ଶ୍ରୀରାମଙ୍କୁ ଲଙ୍କା ଉପରେ ବିଜୟ ହାସଲ କରିବା ପରେ ତାଙ୍କ ସହ ଅଯୋଧ୍ୟା ଆସିଥିଲେ । ଶ୍ରୀ ରାମଙ୍କ ପ୍ରିୟ ଭକ୍ତ ହନୁମାନଙ୍କୁ ଅଯୋଧ୍ୟାର ରାତ୍ରୀ ପ୍ରହରୀ ଭାବେ ବିବେଚିତ କରାଯାଇଛି । ଲୋକଙ୍କ ବିଶ୍ୱାସ କି ସେ ରାତ୍ରୀରେ ବାନର ରୂପରେ ଅଯୋଧ୍ୟା ପରିଦର୍ଶନ କରିଥାନ୍ତି । ସେବା ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରିୟା ଗୁପ୍ତାଙ୍କ ଅନୁଯାୟୀ ଏହି କାରଣ ପାଇଁ ଅକ୍ଷୟ କୁମାର ମାଙ୍କଡ଼ଙ୍କ ସୁରକ୍ଷା ପାଇଁ ଏତେ ବଡ଼ ଦାନ କରିଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ଦ୍ୱାରା ସେ ପୁଣି ଥରେ ପ୍ୟାନ୍ସଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି ।