fbpx

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଏସୀୟ ପାରା କ୍ରୀଡ଼ାରେ ଭାଗ ନେଉଥିବା ସମସ୍ତ କ୍ରୀଡ଼ାବିତଙ୍କୁ ମିଳିବ ୧୦ ଲକ୍ଷ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ଅର୍ଥାତ ଅକ୍ଟୋବର ମାସ ୨୨ ତାରିଖ ଠାରୁ ଚୀନର ହାଙ୍ଗଝୋଉ ଠାରେ ଏସୀୟ ପାରା କ୍ରୀଡ଼ା ଆରମ୍ଭ ହେବାକୁ ଯାଉଛି । ତେବେ ନିକଟରେ ସମାପ୍ତ ହୋଇଥିବା ଏସୀୟ କ୍ରୀଡ଼ାରେ ଦେଶର କ୍ରୀଡ଼ାବିତମାନେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ବେଳେ ଅନେକ ଓଡ଼ିଆ କ୍ରୀଡ଼ାବିତ ମଧ୍ୟ ରାଜ୍ୟ ପାଇଁ ଗୌରବ ଆଣିଥିଲେ । ଏହି ଇଭେଣ୍ଟରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କ୍ରୀଡ଼ାବିତଙ୍କୁ ରାଜ୍ୟ ସରକାର ପୁରସ୍କୃତ କରିଥିଲେ ।

ତେବେ ଏହା ମଧ୍ୟରେ ଏସୀୟ ପାରା କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ଯାଉଥିବା କ୍ରୀଡ଼ାବିତଙ୍କ ପାଇଁ ମଧ୍ୟ ରାଜ୍ୟ ସରକାର ଆଗକୁ ଆସିଛନ୍ତି । ଏସିଆ ମହାଦେଶର ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ରାଜ୍ୟର ସମସ୍ତ କ୍ରୀଡ଼ାବିତଙ୍କୁ ୧୦ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । କ୍ରୀଡ଼ାର ବିକାଶ ପାଇଁ ସର୍ବଦା ପ୍ରୟାସ କରି ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରୀଡ଼ାବିତଙ୍କ ପାଇଁ ଏହି ବଡ଼ ଘୋଷଣା କରିଛନ୍ତି ।

ଏଥର ଏସୀୟ ପାରା କ୍ରୀଡ଼ା ପାଇଁ ଓଡ଼ିଶାରୁ ୭ ଜଣ କ୍ରୀଡ଼ାବିତ ଯୋଗ୍ୟତା ଅର୍ଜନ କରିଛନ୍ତି । ପ୍ରତ୍ୟେକ କ୍ରୀଡ଼ାବିତ ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପାଇବେ । ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ, ଦୌଡ଼କୁଦରେ ଜୟନ୍ତୀ ବେହେରା, ଦୃଷ୍ଟିହୀନ ଚେସରେ ସୌନ୍ଦର୍ଯ୍ୟକୁମାର ପ୍ରଧାନ, ହ୍ୱିଲଚେୟାର ଫେନ୍ସିରେ ପୂଜାସ୍ୱିନୀ ନାୟକ, ରାଖାଲ କୁମାର ସେଠୀ, ଭି. ରମେଶ ରାଓ ଓ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ନିଜର ନିଜର ଦକ୍ଷତା ପ୍ରଦର୍ଶନ କରି ରାଜ୍ୟକୁ ଗୌରବାନ୍ୱିତ କରିବେ ।

Get real time updates directly on you device, subscribe now.