fbpx

ଏଣିକି ଡାକ୍ତରୀ, ଆଇନ, ବିଜ୍ଞାନ, ସାମାଜିକ ବିଜ୍ଞାନ ଆଦି ସମସ୍ତ ପାଠ ଓଡ଼ିଆ ଭାଷାରେ ପଢ଼ାଯିବ: UGCର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ଭାଷାରେ ପଢ଼ାଯିବ ଇଞ୍ଜିନିୟରିଂ ପାଠ । ଏନେଇ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଓ ରାଜ୍ୟ ସରକାରଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ଓଡ଼ିଆ ଭାଷା ଓ ଗବେଷଣା ସଂସ୍ଥାର ତତ୍ତ୍ୱାବଧାନରେ ଓଡ଼ିଆ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯିବ । ତେବେ ନିକଟରେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଭାଷାରେ ଲିଖିତ ଇଞ୍ଜିନିୟରିଂ ପୁସ୍ତକ ଉନ୍ମୋଚନ କରିବା ସହିତ ଇ-କୁମ୍ଭ ପୋର୍ଟାଲର ଶୁଭାରମ୍ଭ କରିଥିଲେ ।

ତେବେ ଆମ ଦେଶରେ ଅନେକ ପ୍ରତିଭାବାନ ଛାତ୍ରଛାତ୍ରୀ ରହିଥିଲେ ହେଁ ସେମାନେ ଇଂରାଜୀରେ ପଢ଼ିବା ନେଇ ଅନେକ ସମସ୍ୟାର ସାମ୍ନା କରିଥାନ୍ତି । ତେଣୁ ଏ ବାବଦରେ ଜାତୀୟ ଶିକ୍ଷାନୀତିରେ ନୂଆ ନିଷ୍ପତ୍ତି ନିଆଯାଇଛି । ଏଣିକି ଛାତ୍ରଛାତ୍ରୀମାନେ ଇଞ୍ଜିନିୟରିଂ ସହିତ ଡାକ୍ତରୀ, ଆଇନ, ବିଜ୍ଞାନ, ସାମାଜିକ ବିଜ୍ଞାନ ଆଦି ସମସ୍ତ ପାଠ ମାତୃଭାଷାରେ ପଢ଼ିବେ । ଏନେଇ ରୋଡ୍ ମ୍ୟାପ ପ୍ରସ୍ତୁତ କରାଯାଇଥିବା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ କୁହାଯାଇଛି ।

ଏ ବାବଦରେ ୟୁଜିସି ଅଧ୍ୟକ୍ଷ ଅଧ୍ୟକ୍ଷ ଏମ୍.ଜଗଦୀଶ କୁମାର କହିଛନ୍ତି, ଦେଶର ବିଭିନ୍ନ ରାଜ୍ୟରେ ପ୍ରଚଳିତ ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷାର ପୁସ୍ତକକୁ ଅନୁବାଦ କରାଯାଉଛି । ଏଥିସହିତ ଏହା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବାକୁ ମଧ୍ୟ ପ୍ରୟାସ କରାଯାଉଛି । ଓଡ଼ିଶାରେ ପ୍ରଥମେ ଇଞ୍ଜିନିୟରିଂ ଓ ଡିପ୍ଲୋମାର ପ୍ରଥମ ବର୍ଷର ପାଠ୍ୟକ୍ରମ ଅନୁବାଦ ଆରମ୍ଭ ହୋଇଛି । ବର୍ତ୍ତମାନ ମୋଟ ୧୨ଟି ଭାରତୀୟ ଭାଷାରେ ଇଞ୍ଜିନିୟରିଂ ୟୁଜି ଓ ଡିପ୍ଲୋମା ପାଠ୍ୟକ୍ରମର ଅନୁବାଦ କରାଯାଇଛି । ଆଗାମୀ ଦିନରେ ସମସ୍ତ ଭାରତୀୟ ଭାଷାରେ ଅନୁବାଦ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.