fbpx
BJD SKY
BJD SKY

ସମସ୍ତ ସରକାରୀ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମିଳିବ ସ୍ୱାଧୀନ ଦାୟିତ୍ୱ: BEO, DEOଙ୍କର ଅନୁମତି ନେବାକୁ ପଡ଼ିବନି, ଗଣଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସରକାରୀ ସ୍କୁଲର ଶିକ୍ଷକମାନେ କେବଳ ଶିକ୍ଷାଦାନ କରିବେ । ଶିକ୍ଷକମାନଙ୍କୁ ମଧ୍ୟାହ୍ନଭୋଜନ ଦାୟିତ୍ୱରୁ ମୁକ୍ତ କରାଯିବ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱାଧୀନ ଭାବେ ଦାୟିତ୍ୱ ନିର୍ବାହ କରିବେ । କୌଣସି କାର୍ଯ୍ୟ ପାଇଁ ସେମାନେ ବ୍ଲକ ଶିକ୍ଷାଧିକାରୀ (ବିଇଓ) କି ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ)ଙ୍କଠାରୁ ଅନୁମତି ନେବାକୁ ପଡ଼ିବନି । ଶିକ୍ଷକମାନେ ସ୍ୱାଧୀନ ଭାବେ ଦାୟିତ୍ୱ ନେବା ସହ ଶିକ୍ଷାଦାନ ଛଡ଼ା ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ ହେବେନାହିଁ ।

ରାଜ୍ୟ ସରକାର ସର୍ବଦା ଶିକ୍ଷାର ବିକାଶ ନେଇ ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଥାନ୍ତି । ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ବାବଦରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଭିନ୍ନ ଚାପରୁ ଶିକ୍ଷକମାନେ ମୁକ୍ତ ହୋଇ ପିଲାଙ୍କର ପାଠପଢ଼ା ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିପାରିବେ । ପିଲାଙ୍କ ସୁରକ୍ଷା ପାଇଁ ସ୍କୁଲମାନଙ୍କରେ ଆଉଟସୋର୍ସିଂ ମାଧ୍ୟମରେ ଜଗୁଆଳି ନିଯୁକ୍ତ ହେବେ । ସ୍କୁଲର ପରିସ୍କାର, ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଆଯିବ ।

ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କ ଉପରେ ସ୍କୁଲର ମଧ୍ୟାହ୍ନଭୋଜନ ଦାୟିତ୍ୱ ନ୍ୟସ୍ତ ରହିବ । ସ୍କୁଲର ଶୌଚାଳୟଗୁଡ଼ିକୁ ସଫାସୁତୁରା ରଖାଯିବ । ପିଲାଙ୍କର ଦକ୍ଷତା ବିକାଶ ତଥା ବିଜ୍ଞାନ ସମ୍ବନ୍ଧି ନଲେଜ୍ ବୃଦ୍ଧି ପାଇଁ ପ୍ରତିବର୍ଷ ସେମାନଙ୍କୁ ଭ୍ରମଣରେ ନିଆଯିବ । ପିଲାମାନେ ବଡ଼ ବଡ଼ ବ୍ରିଜ, ଏୟାରପୋର୍ଟ, ମଲ୍ଟିପ୍ଲେକ୍ସ, ଅତ୍ୟାଧୁନିକ ବନ୍ଦର, ବଡ଼ ବଡ଼ ଜଳଭଣ୍ଡାର ଦେଖିବା ଦ୍ୱାରା ସେମାନଙ୍କର ସୃଜନଶୀଳତା ବୃଦ୍ଧି ପାଇବ ।

ତାଲିମପ୍ରାପ୍ତ ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ପିଲାଙ୍କୁ ଇଂରାଜୀ ଶିକ୍ଷା ପ୍ରଦାନ କରାଯିବ । ପ୍ରତି ସପ୍ତାହରେ ପିଲାଙ୍କ ପାଇଁ ‘ଜିରୋ ପିରିୟଡ଼ ଆକ୍ଟିଭିଟି’ର ଏକ କ୍ଲାସ ରଖାଯିବ । ଫଳରେ ପିଲାମାନେ ନିଜର ସୃଜନଶୀଳତାକୁ ପରୀକ୍ଷା ନିରୀକ୍ଷା କରିବା ସହ ନିଜର ଦକ୍ଷତାକୁ ସହଜରେ ଚିହ୍ନିପାରିବେ । ନିୟମିତ ବ୍ୟବଧାନରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଇଁ ଓରିଏଣ୍ଟେସନ କାର୍ଯ୍ୟକ୍ରମ କରାଯିବ । ଆଗାମୀ ଦିନରେ ଶିକ୍ଷାଦାନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଅଣାଯିବ । ଏହି ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.