fbpx

ଅନୁଗୁଳ ବାଲିପଟ୍ଟା ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ: ସମାରୋହରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

Advertisement

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ବାଲିପଟ୍ଟା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ, ସେଠାରେ ସେ ବିଦ୍ୟା,ବୁଦ୍ଧି ଓ ଜ୍ଞାନ ବଳରେ ଅନୁଗୁଳରେ ଥିବା ସମ୍ଭାବନାକୁ ବ୍ୟାପକ କରିବା ପାଇଁ ଯୁବପିଢିଙ୍କୁ ପରାମର୍ଶ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୨୫ ବର୍ଷର ଅମୃତ କାଳରେ ‘ବିକଶିତ ଭାରତ’ ପାଇଁ ସ୍ୱପ୍ନ ଦେଖିଛନ୍ତି । ଏହି କାଳଖଣ୍ଡରେ ଅନୁଗୁଳ ଭଳି ଖଣି ସମୃଦ୍ଧ ଅଞ୍ଚଳର ବିକାଶର ଦାୟିତ୍ୱ ନେବାକୁ ହେବ, ଯାହାର ଗୁରୁ ଦାୟିତ୍ୱ ଅଞ୍ଚଳର ଯୁବବର୍ଗଙ୍କ ଉପରେ ରହିଛି । ଯୁବପିଢିମାନେ କେବଳ ଚାକିରି ଅନ୍ୱେଷଣରେ ରୁହନ୍ତୁ ନାହିଁ ବରଂ ନିଯୁକ୍ତିଦାତା ହୋଇ ନିଜର ପ୍ରତିଭା ବଳରେ ଖଣି ସମ୍ଭାବନାର ଅଞ୍ଚଳକୁ ଆଗକୁ ନେବା ପାଇଁ ସଂକଳ୍ପ ନିଅନ୍ତୁ । ବର୍ତ୍ତମାନ ଏକବିଂଶ ଶତାବ୍ଦୀରେ ଶିକ୍ଷାକୁ ଯୋର ଦେବା ତଥା ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଆମର ଦାୟିତ୍ୱ ।

ସେ ପୁଣି କହିଛନ୍ତି, କଳା, ସାହିତ୍ୟ, ସଂସ୍କୃତି ଏବଂ ବୌଦ୍ଧିକ ସମ୍ପନ୍ନତାର ଅନନ୍ୟ ଭୂମି ହେଉଛି ବାଲିପଟ୍ଟା । ଭଲ ମଣିଷ ତିଆରି କରିବା ବାଲିପଟ୍ଟା ଓ ଛେଣ୍ଡିପଦାର ସଂସ୍କାରରେ ରହିଛି । ଏହି କାରଣରୁ ବାଲିପଟ୍ଟା ହାଇସ୍କୁଲରୁ ପାଠପଢି ୫ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମାଜିକ ଜୀବନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହି ନିଜ କାମକୁ ସୂଚାରୁରୂପେ ପାଳନ କରୁଛନ୍ତି । ହାଇସ୍କୁଲଟି ୫୦ ବର୍ଷ ପୂରଣ କରିବା ଏକ ଗୌରବମୟ କୀର୍ତ୍ତିମାନ ଏବଂ ପୂର୍ବଜ ମାନଙ୍କ ପ୍ରଚେଷ୍ଟାର ପ୍ରମାଣ ।

ଅଭିଭାଷଣ ବେଳେ ଶ୍ରୀ ପ୍ରଧାନ ତାଙ୍କୁ ପ୍ରେରଣା ଦେଇଥିବା ବ୍ୟକ୍ତିଙ୍କ ସ୍ମୃତିଚାରଣ କରିଥିଲେ । ସେ କହିଥିଲେ ପିଲା ଥିବା ବେଳେ ସେ ତାଙ୍କ ପ୍ରେରଣା ପୁରୁଷ ତଥା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ବିଚାର ପରିବାରର ବରିଷ୍ଠ ପ୍ରଚାରକ ସ୍ୱର୍ଗତ କୁମାର କୃଷ୍ଣଚନ୍ଦ୍ର ରାୟଙ୍କ ଠାରୁ ବାଲିପଟ୍ଟାର ସଂସ୍କାର ଶୁଣିଥିଲେ । ସେହି ପ୍ରେରଣା ପୁରୁଷଙ୍କ କର୍ମଭୂମି ତଥା ନିଜ ଗୃହ ଜିଲ୍ଲାର ଏକ ସଂସ୍କାର ଧାମ ଏବଂ ଆତ୍ମୀୟ ମାନଙ୍କ ଗ୍ରାମକୁ ଆସିବା ତାଙ୍କ ପାଇଁ ବଡ ସୌଭାଗ୍ୟର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ କୋଶଳା ଠାରେ ମା’ ରାମଚଣ୍ଡୀ ପୀଠରେ ଦର୍ଶନ କରିଥିଲେ । ସେହି ଅଞ୍ଚଳରେ ଭାରତୀୟ ସମ୍ବିଧାନର ପ୍ରଣେତା ଭାରତରତ୍ନ ବାବାସାହେବ ଡକ୍ଟର ବି.ଆର୍ ଆମ୍ବେଦକର ଓ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବଅଁରପାଳ, ଜରାସିଂହା, କଙ୍କରାଇ, ରାଇଝରନ, କୋଶଳା, ଛେଣ୍ଡିପଦା, ପାଟକୁମୁଣ୍ଡା, ବାରମଞ୍ଚା, ଖମାର, ପଗଡିଆ, ବସନ୍ତପୁର, ତେଣ୍ଟୁଲୋଇ ଓ ବାଲିପଟ୍ଟା ସମେତ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତା ଓ ସାଧାରଣ ଲୋକମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Get real time updates directly on you device, subscribe now.