ଆସନ୍ତା ମାର୍ଚ୍ଚରେ ଓଡ଼ିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ୭୩ତମ ସର୍ବଭାରତୀୟ ହକି ଚାମ୍ପିୟନଶିପ-୨୦୨୫ ଅନୁଷ୍ଠିତ ହେବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାର୍ଚ୍ଚ ମାସରେ ଓଡ଼ିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ୭୩ତମ ସର୍ବଭାରତୀୟ ହକି ଚାମ୍ପିୟନଶିପ୍ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଚାମ୍ପିୟନଶିପକୁ ଶୃଙ୍ଖଳିତ, ସୁପରିଚାଳନା ସମେତ ବ୍ୟାପକ ବନ୍ଦୋବସ୍ତର ଆୟୋଜନ ସଂକ୍ରାନ୍ତରେ ଡିଜିପି ଶ୍ରୀ ଖୁରାନିଆ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଚାମ୍ପିୟନସିପରେ ଦେଶର ୨୭ଟି ପୁରୁଷ ଏବଂ ୧୦ଟି ମହିଳା ଟିମ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ରହିବା ସ୍ଥାନ, ନିୟମିତ ଅଭ୍ୟାସ, ଅତିଥିଙ୍କୁ ସ୍ୱାଗତ, ଉଦଘାଟନ ଓ ଉଦଯାପନୀ ସମାରୋହକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ଡିଜିପି ବୈଠକରେ ଉପସ୍ଥିତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମ ସମେତ ପୋଖରୀପୁଟ ଓ କିଟ କ୍ୟାମ୍ପସ ଗ୍ରାଉଣ୍ଡରେ ଅଭ୍ୟାସ କରିବେ । ଏଥି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଏହି ଚାମ୍ପିୟନସିପରେ ବହୁ ଅନ୍ତର୍ଜାତୀୟ ହକି ଖେଳାଳିଙ୍କ ସମେତ ଭିଭିଆଇପି ଏବଂ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବିଶେଷ ଯୋଗ ଦେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଖେଳାଳିଙ୍କୁ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବା ଉପରେ ଡିଜିପି ବୈଠକରେ ଗୁରୁତ୍ୱାରୋପ କରିଥିଲେ ।
ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନୀକିକରଣ), ଏସ.କେ. ପ୍ରିୟଦର୍ଶୀ, ନିର୍ଦେଶକ (ଏସସିଆରବି ଏବଂ ଏସଏଫଏସଏଲ), ଡ. ସନ୍ତୋଷ ବାଲା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ରାଜେଶ କୁମାର, ଆଇଜିପି (ଟ୍ରେନିଂ) ଅନୁପ କୁମାର ସାହୁ, ଅତିରିକ୍ତ ପୋଲିସ କମିଶନର (କଟକ-ଭୁବନେଶ୍ୱର), ଡ. ଉମାଶଙ୍କର ଦାଶ, ଡି.ଆଇ.ଜି.ପି (ଅପରେସନ), ଅଖିଳେଶ୍ୱର ସିଂ, ଡି.ଆଇ.ଜି.ପି (ଏସଆଇଡବ୍ଲ୍ୟୁ) ଡ. କନୱର ବିଶାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।