fbpx

ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତୁତି: କ୍ୟାଡରଭୁକ୍ତ ହେବେ ରାଜ୍ୟର ସମସ୍ତ ୪୮୮ ବର୍ଗ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ୪୮୮ ବର୍ଗ ବେସରକାରୀ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକମାନେ କ୍ୟାଡରଭୁକ୍ତ ହେବେ । ସେଥିପାଇଁ ଅଧ୍ୟାପକଙ୍କର ଏକ ଗ୍ରେଡେସନ ଲିଷ୍ଟ ନିର୍ଦ୍ଦିଷ୍ଟ ଫର୍ମାଟରେ ପ୍ରସ୍ତୁତ କରିବା ସହ ୭ ଦିନ ମଧ୍ୟରେ ପଠାଇବାକୁ ୪୮୮ ବର୍ଗ ବେସରକାରୀ ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୪୮୮ (୨୫୫ ‘କ’ ବର୍ଗ ଓ ୨୩୩ ‘ଖ’ ବର୍ଗ) କଲେଜର ଅଧ୍ୟାପକଙ୍କୁ ତାଲିକାଭୁକ୍ତ କରାଯିବ ବୋଲି ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି ।

ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ନେଇ ବାରମ୍ବାର ଦାବି ହେଉନଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ପୂର୍ବରୁ ବିଧାନସଭା ଷ୍ଟାଣ୍ଡିଂ କମିଟି ଏ ବାବଦରେ ସୁପାରିଶ କରିଥିଲେ । ମାତ୍ର ଅଧ୍ୟକ୍ଷଙ୍କ ସ୍ଥାୟୀ ନିଯୁକ୍ତି କରାଯାଇ ନଥିଲା । ତେଣୁ ଏନେଇ କୋର୍ଟରେ ମାମଲା ରୁଜୁ ହେବା ପରେ କୋର୍ଟଙ୍କ ହସ୍ତକ୍ଷେପ ପରେ ବିଭାଗ ପକ୍ଷରୁ କ୍ୟାଡର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରାଯାଇଛି । ପ୍ରତ୍ୟେକ ଅନୁଦାନପ୍ରାପ୍ତ କଲେଜରେ ପ୍ରଥମେ ଅଧ୍ୟାପକଙ୍କର ଏକ କ୍ୟାଡର ପ୍ରସ୍ତୁତ କରାଯିବ ଓ ତା’ପରେ ତାଲିକାଭୁକ୍ତ କର୍ମଚାରୀଙ୍କୁ ବରିଷ୍ଠତା ଭିତ୍ତିରେ ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷ ଭାବେ ମନୋନୀତ କରାଯିବା ନେଇ ଆଇନ୍ ରହିଛି ।

ବର୍ତ୍ତମାନ ରାଜ୍ୟର ୧୨୨୯ଟି କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନଥିବା ବେଳେ ଅନେକ ସ୍ଥାନରେ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ଭରସାରେ କଲେଜ ଚାଲିଛି । କିଛି ସ୍ଥାନରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦରମାପାପ୍ତ ପ୍ରାଧ୍ୟାପକଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି ତ ଆଉ କେଉଁଠି ରାଜ୍ୟ ସରକାରଙ୍କ ଦରମାପ୍ରାପ୍ତ ଅଧ୍ୟାପକଙ୍କୁ ଅଧ୍ୟାପକ ଦାୟିତ୍ୱ ଦିଆଯାଇଛି । ତେବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଆସିବା ପରେ ଅନୁଦାନପ୍ରାପ୍ତ କଲେଜର ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଶିକ୍ଷକ ସଂଘ ଆଶା ପ୍ରକଟ କରିଛି ।

Get real time updates directly on you device, subscribe now.