fbpx

ଓଡ଼ିଶାର ଭୋଟରଙ୍କ ମୁଡ୍ କିପରି ରହିଛି: ‘ବିଜୟ-ପରାଜୟ’କୁ ନେଇ ଟେନସନରେ ସବୁ ଦଳର ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ଏବେ ନିର୍ବାଚନୀ ଋତୁ ଚାଲିଛି । ଦେଶରେ ଏହା ମଧ୍ୟରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ସରିଗଲାଣି । ଆଗକୁ ଆଉ ୩ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ କିଛି ଆସନରେ ମତଦାନ ସମାପ୍ତ ହୋଇଛି । ଭୋଟରମାନେ କେଉଁ ନେତାଙ୍କୁ ଭୋଟ ଦେଇଛନ୍ତି ଆଉ କେଉଁ ଦଳକୁ ଚୟନ କରିଛନ୍ତି ତା’ର ସମ୍ପୂର୍ଣ୍ଣ ତଥ୍ୟ ଏବେ ଇଭିଏମ୍ ମେଶିନ୍ ଭିତରେ ବନ୍ଦ ହୋଇ ରହିଯାଇଛି । ଆସନ୍ତା ମାସ ୪ ତାରିଖରେ ତାହା ଖୋଲିବା ପରେ ଜଣାପଡ଼ିବ କେଉଁ ପ୍ରାର୍ଥୀ ବିଜୟୀ ହେବେ ଓ କିଏ ନିରାଶ ହେବେ ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୨୮୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ ଭିତରେ ବନ୍ଦ ହୋଇ ରହିଥିବା ବେଳେ ଆଗକୁ ଆହୁରି ଅନେକ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । କେଉଁ ଦଳ ସପକ୍ଷରେ ବା କେଉଁ ପ୍ରାର୍ଥୀଙ୍କ ସପକ୍ଷରେ ଯେତେ ଚର୍ଚ୍ଚା ହେଲେ ବି ଫଳାଫଳ ନ ବାହାରିବା ଯାଏଁ ଏବେ ପ୍ରାର୍ଥୀମାନଙ୍କୁ ରାତିରେ ନିଦ ନାହିଁ । ଗୋଟିଏ ଭୋଟ ବି ପରାଜୟର କାରଣ ସାଜିପାରେ । ତେଣୁ ମତଦାନ ସମୟରେ ପ୍ରାର୍ଥୀଙ୍କର ଦାତା, ଦଇବ, ବିଧାତା ସବୁକିଛି ହେଉଛନ୍ତି ଭୋଟର । ଜନତା ଜନାର୍ଦ୍ଦନା କାହାକୁ ଆଶିର୍ବାଦ କରିବେ ତାହା ଜାଣିବା ମୁସ୍କିଲ । ଭୋଟରଙ୍କ ମୁଡ୍ ପଢ଼ିବା ନିହାତି କଷ୍ଟକର ବ୍ୟାପାର । ରାଜ୍ୟରେ ୨୫ ବର୍ଷ ଧରି କ୍ଷମତାସୀନ ରହିଥିବା ବିଜେଡିକୁ ଗାଦିଚ୍ୟୁତ କରିବାକୁ ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ଟିମ୍ ତୁହାକୁ ତୁହା କଳିଙ୍ଗ ଭୂମିକୁ ଗସ୍ତ କରି ରଣହୁଙ୍କାର ଦେଉଛନ୍ତି । ବିଭିନ୍ନ ଦଳର ବିଭିନ୍ନ ତରିକାର ପ୍ରଚାର ମଧ୍ୟରେ ଜନତା କେଉଁ ଆଡ଼କୁ ଢଳୁଛନ୍ତି ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ।

ଗତ ୨୦୧୯ ନିର୍ବାଚନର ଫର୍ମୂଲା ଭାଜପା ୨୦୨୪ ନିର୍ବାଚନରେ ଆପଣାଇଛି । ଗତ ଥର ଅନେକ କେନ୍ଦ୍ରୀୟ ନେତା ରାଜ୍ୟକୁ ବାରମ୍ବାର ଆସି ପ୍ରଚାର କରିଥିଲେ । ତା’ର ଫଳ ସ୍ୱରୂପ ବିଜେପି ଉଭୟ ବିଧାନସଭା ଓ ଲୋକସଭାରେ ଅଧିକ ସିଟ୍ ହାତେଇ ପାରିଥିଲା । ତେବେ ଏଥର ବିଜେପି ଶାସକ ବିଜେଡିକୁ କ୍ଷମତାଚ୍ୟୁତ କରିବାକୁ ପଣ କରିଥିବା ବେଳେ ଅନ୍ୟପଟେ ନିଜର ଗଡ଼ ରକ୍ଷା କରିବାକୁ ବଦ୍ଧପରିକର ରହିଛି ଅପରାଜେୟ ନବୀନ ପଟ୍ଟନାୟକଙ୍କ ବାହିନୀ । ତେବେ ଯେଉଁ ଦଳ ଯେତେ ବାହାସ୍ଫୋଟ ମାରିଲେ ବି ଜନତାଙ୍କ ଠାରୁ କେହି ଶକ୍ତିଶାଳୀ ନୁହନ୍ତି । ଜନତାଙ୍କ ମୁଡ୍ ଉପରେ ଏବେ ସବୁ ଦଳର ପ୍ରାର୍ଥୀଙ୍କ ନଜର ।

ସେହିପରି କଂଗ୍ରେସ ମଧ୍ୟ ଏହି ରେସରେ ପଛରେ ପଡ଼ିନାହିଁ । ବିଜେପି ଏଥର କେନ୍ଦ୍ରରେ ୧୪୦ଟି ସିଟ ମଧ୍ୟରେ ସୀମିତ ରହିବ ବୋଲି ବିରୋଧୀ ଇଣ୍ଡିଆ ମେଣ୍ଟର ନେତାମାନେ କହୁଥିବା ବେଳେ ରାଜ୍ୟରେ ମଧ୍ୟ କଂଗ୍ରେସ ସରକାର ଗଠନ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି । ବରିଷ୍ଠ ନେତା ରାହୁଲ ଗାନ୍ଧି, ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟକୁ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ତେଣୁ ଜନତା କୁଆଡ଼େ ଢଳିବେ ତା’ ଉପରେ ଏବେ ସଭିଙ୍କ ନଜର । ରାଜନୈତିକ ଦଳମାନେ ଏକାଧିକ ଗ୍ୟାରେଣ୍ଟି ଦେଇ ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ କରୁଛନ୍ତି । ଯେତେ ଯାହା କଲେ ବି ପ୍ରାର୍ଥୀଙ୍କୁ କିନ୍ତୁ ରାତିରେ ନିଦ ନାହିଁ । ବିଜୟ ହେଲେ ତ ସମସ୍ତେ ଝୁମିବେ । ମାତ୍ର ଯଦି ଅଳ୍ପକେ ସିଟଟା ହାତରୁ ଖସିଯାଏ ତେବେ ପୁଣି ୫ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ, ଦଳରେ ଗୁରୁତ୍ୱ ମିଳିନପାରେ, ବଡ଼ ଦାୟିତ୍ୱ ହାତରୁ ଖସିଯାଇପାରେ, ଦଳରେ କାଟତି ହ୍ରାସ ପାଇପାରେ । ଏପରି ଅନେକ ଚିନ୍ତା ଏବେ ପ୍ରାର୍ଥୀଙ୍କୁ ଘାରିଛି ।

Get real time updates directly on you device, subscribe now.