fbpx

ସପ୍ତାହରେ ୭ଦିନ କାମ କରିବାକୁ କହିବାରୁ ସମୂହ ଚାକିରୀ ଛାଡିଲେ ସବୁ କର୍ମଚାରୀ, କମ୍ପାନୀ ଆଗରେ ସାଇନ ବୋର୍ଡ ମାରି ଗ୍ରାହକଙ୍କୁ ଦେଲେ ସୂଚନା

ନୂଆଦିଲ୍ଲୀ: ସପ୍ତାହସାରା ଅର୍ଥାତ୍ ପୁରା ୭ ଦିନ କାମ କରିବାକୁ କୁହାଯିବାରୁ ଆମେରିକାର ଏକ ଷ୍ଟୋରରେ କାମ କରୁଥିବା ସମସ୍ତ କର୍ମଚାରୀ ଚାକିରୀ ଛାଡିଛନ୍ତି । ଏମାନେ ସମସ୍ତେ କମ୍ ଦରମା ଓ ଅଧିକ କାମବୋଝ ପାଇଁ ଚାକିରୀ ଛାଡିଛନ୍ତି । ଆମେରିକାର ଉଇଜ୍‌କନସିନ୍ ମିନେରାଲ୍ ପଏଣ୍ଟରେ ଥିବା ଡୋଲାର ଜେନେରାଲ୍ ଷ୍ଟୋରର କର୍ମଚାରୀ ସମୂହ ଚାକିରୀ ଛାଡିଛନ୍ତି । ଚାକିରୀ ଛାଡୁଛନ୍ତି ବୋଲି ନିଜ ହାତରେ ଲେଖି ଷ୍ଟୋର ସମ୍ମୁଖରେ ନୋଟିସ୍ ମାରିଦେଇଛନ୍ତି । କର୍ମଚାରୀଙ୍କର ଏପରି ପଦକ୍ଷେପରେ ଷ୍ଟୋର ମାଲିକ ଷ୍ଟୋର ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି ।
ସେମାନେ ସାଇନବୋର୍ଡରେ ଗ୍ରାହକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଆମେ ଚାକିରୀ ଛାଡୁଛୁ, କିନ୍ତୁ ଆମେ ଆପଣମାନଙ୍କୁ ମିସ୍ କରିବୁ ।’ ଅନ୍ୟ ଏକ ସାଇନବୋର୍ଡରେ ଚାକିରୀ ଛାଡିବାର କାରଣ ବି ଲେଖାଯାଇଛି । ଏ ସଂପର୍କରେ ଷ୍ଟୋରର ମ୍ୟାନେଜର ଟ୍ରିନା ଟ୍ରିବୋଲେଟ୍ ଉଇଜ୍‌କନସିନ୍ ଟିଭିକୁ କହିଛନ୍ତି, ସେ ମାସ ମାସ ଧରି ଏପରି ସପ୍ତାହର ୭ ଦିନ ସାରା କାମ କରି ଆସୁଛନ୍ତି । ଗତ ଉଇକ୍‌ଏଣ୍ଡ ହିଁ ଖ୍ରୀଷ୍ଟମାସ ପରଠାରୁ ତାଙ୍କର ପ୍ରଥମ ଛୁଟୀ ଥିଲା ବୋଲି ସେ କହିଛନ୍ତି ।

ଟ୍ରିନା କହିଛନ୍ତି ଡୋଲାର ଜେନେରାଲର ଫୁଡ୍ ଡୋନେସନ ପଲିସି ମଧ୍ୟ କର୍ମଚାରୀଙ୍କ ସମୂହ ଇସ୍ତଫାର ଆଉ ଏକ କାରଣ । କମ୍ପାନୀର କଡା ନିର୍ଦ୍ଦେଶନାମା ହେତୁ ଷ୍ଟୋରର ବହୁ ଖାଦ୍ୟ ବଣ୍ଟା ନ ଯାଇ ପାରି ଫୋପଡା ହେଉଥିବାରୁ କର୍ମଚାରୀମାନେ ଦୁଃଖିତ ଥିଲେ ।

ତେବେ ଏହି ସମୂହ ଇସ୍ତଫା ପରେ ଡୋଲାର ଜେନେରାଲ୍ ପକ୍ଷରୁ ଗତ ସୋମବାର ଷ୍ଟୋରକୁ ୩ ଘଣ୍ଟା ଲାଗି ବନ୍ଦ ରଖାଯାଇଥିଲା ଓ ସୂଚୀତ କରାଯାଇଥିଲା କି ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ପରେ ଷ୍ଟୋର ଖୋଲାଯିବ । ଏହାସହିତ କମ୍ପାନୀ ପକ୍ଷରୁ କୁହାଯାଇଥିଲା କି , ଗତ ୧୨ ମାସ ମଧ୍ୟରେ ଡୋଲାର ଜେନେରାଲ୍ ଏ ପର୍ଯ୍ୟନ୍ତ ୭,୫୦୦ ପାଉଣ୍ଡ ଖାଦ୍ୟ ବିଭିନ୍ନ ଫୁଡ୍ ବ୍ୟାଙ୍କକୁ ଯୋଗାଇ ସାରିଛି । ଡୋଲାର ଜେନେରାଲ୍ ଖାଦ୍ୟ ନିରାପତ୍ତାକୁ ପ୍ରାଥମିକତା ଦେଇଆସିଛି । ଏଥିପାଇଁ ଷ୍ଟୋର ଫିଡିଂ ଆମେରିକା ଡୋନେସନ ପଲିସିକୁ ଅନୁକରଣ କରିଥାଏ । ଏହି ସମୟ ମଧ୍ୟରେ ଡୋଲାର ଜେନେରାଲ୍ ଷ୍ଟୋରର ଏହି ସମସ୍ତ କର୍ମଚାରୀ ଅନ୍ୟତ୍ର କର୍ମସଂସ୍ଥାନ ଯୋଗାଡ କରିସାରିଥିବା ଜଣାଯାଇଛି ।

Get real time updates directly on you device, subscribe now.