ନୂଆଦିଲ୍ଲୀ: ଜ୍ଞାନବାପୀ ମାମଲାରେ ଆହ୍ଲାବାଦ ହାଇକୋର୍ଟରୁ ମୁସଲିମ୍ ପକ୍ଷଙ୍କୁ ଲାଗିଛି ଏକ ବଡ଼ ଝଟକା । ଟାଇଟଲ ଶୁଟକୁ ଚାଲେଞ୍ଜ କରି ଆବେଦନ କରିଥିବା ମୁସଲିମ ପକ୍ଷଙ୍କ ସମସ୍ତ (୫)ଟି ଯାଚିକାକୁ ଅଦାଲତ ଖାରଜ କରିଦେଇଛନ୍ତି । ଜଷ୍ଟିସ ରୋହିତ ରଞ୍ଜନ ଅଗ୍ରୱାଲଙ୍କ ଜଣିକିଆ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।
ହିନ୍ଦୁ ପକ୍ଷଙ୍କ ୧୯୯୧ର ମକଦ୍ଦମାକୁ ଚ୍ୟାଲେଞ୍ଜ କରି ମୁସଲିମ ପକ୍ଷ ଆହ୍ଲାବାଦ ହାଇକୋର୍ଟରେ ଏହି ଯାଚିକା ସବୁ ଦାୟର କରିଥିଲେ । ମାତ୍ର ତାହାକୁ କୋର୍ଟ ଖାରଜ କରିଦେଇଛନ୍ତି । ଆହ୍ଲାବାଦ ହାଇକୋର୍ଟରେ ୧୯୯୧ରେ ବାରାଣସୀର ଅଦାଲତରେ ଦାୟର ହୋଇଥିବା ମୂଳ ମାମଲାର ସ୍ଥାୟିତ୍ୱକୁ ଅଞ୍ଜୁମନ ଇନ୍ତେଜାମିୟା କମିଟି ଓ ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଚ୍ୟାଲେଞ୍ଜ କରିଥିଲା ।
ଶୁଣାଣି ସମାପ୍ତ ହେବା ପରେ ଗତ ୮ ତାରିଖରେ ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ନିଷ୍ପତ୍ତିକୁ ସୁରକ୍ଷିତ ରଖିଥିଲେ । ମୋଟ ୫ଟି ଯାଚିକା ଉପରେ ଶୁଣାଣି ଚାଲିଥିବା ବେଳେ ସେଥିମଧ୍ୟରୁ ୨ଟି ଯାଚିକା ସିବିଲ ବିବାଦର ସ୍ଥାୟିତ୍ୱ ଓ ୩ଟି ଯାଚିକା ଏଏସଆଇ ସର୍ଭେ ଆଦେଶ ବିରୋଧରେ ଥିଲା । ଦୁଇଟି ଯାଚିକା ୧୯୧୧ରେ ବାରାଣସୀର ଜିଲ୍ଲା ଅଦାଲତରେ ଆଗତ ହୋଇଥିବା ମୂଳ ବିବାଦର ସ୍ଥାୟିତ୍ୱ ଉପରେ ଚ୍ୟାଲେଞ୍ଜ କରାଯାଇଥିଲା । ୩ଟି ଯାଚିକାରେ ସର୍ଭେ ଆଦେଶକୁ ଚ୍ୟାଲେଞ୍ଜ ଦିଆଯାଇଥିଲା । ଆଇନ ଅନୁଯାୟୀ ଜ୍ଞାନବାପୀ ପରିସରରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ ବୋଲି ମୁସଲମ ପକ୍ଷଙ୍କ ପକ୍ଷରୁ ହାଇକୋର୍ଟରେ କୁହାଯାଇଥିଲା ।