fbpx

ମହିଳା ବିଶ୍ୱକପ୍: ଦମଦାର ବିଜୟ ସହିତ ଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଳୀ: ଚଳିତ ମହିଳା ବିଶ୍ବକପରେ ଅଷ୍ଟ୍ରେଲିଆ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛି । ଅପରାଜେୟ ଭାବରେ ଲିଗ୍ ପର୍ଯ୍ୟାୟ ଶେଷ କରିଥିବା କଙ୍ଗାରୁ ଦଳ ପ୍ରଥମ ସେମିରେ ୱେଷ୍ଟ ଇଣ୍ଡିଜକୁ ୧୫୭ ରନରେ ପରାସ୍ତ କରିଛି । ଏହା ସହିତ ପ୍ରଥମ ଦଳ ଭାବରେ ଫାଇନାଲ ବର୍ଥ ସୁରକ୍ଷିତ କରି ନେଇଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୫ ଓଭରରେ ୩ ୱିକେଟରେ ୩୦୫ ରନ କରିଥିବା ବେଳେ ୱେଷ୍ଟଇଣ୍ଡିଜକୁ ମାତ୍ର ୧୪୮ରେ ସୀମିତ ରଖିଥିଲା ।

ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପକ୍ଷରୁ ଆଲିସା ହିଲି ସର୍ବାଧିକ ୧୨୯ ରନ କରିଥିଲେ । ରାଚେଲ ହାଏନସ ୮୫ ରନ କରିଥିବା ବେଳେ ଉଭୟ ପ୍ରଥମ ୱିକେଟରେ ୨୧୬ ରନ ଯୋଡିଥିଲେ । ହିଲି ୧୦୭ ବଲ ଖେଳି ୧୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଅପର ପକ୍ଷରେ ରାଚେଲ ୧୦୦ ବଲରୁ ୯ ।ଚୌକା ସହିତ ୮୫ ରନ କରିଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ ଚିନେଲ ହେନରୀ ୨ଟି ଏବଂ ଶାମିଲା କନ୍ନେଲ ଗୋଟିଏ ୱିକେଟ ନେଇଥିଲେ ।

ଜବାବରେ ମାତ୍ର ୩୭ ଓଭରରେ ୧୪୮ରନରେ ଅଲଆଉଟ ହୋଇଥିଲା ୱେଷ୍ଟଇଣ୍ଡିଜ । ଅଧିନାୟିକା ଷ୍ଟିଫାନି ଟେଲର ସର୍ବାଧିକ ୪୮ ରନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ହେଲି ମାଥ୍ୟୁସ୍ ଓ ଡାଏଣ୍ଡ୍ରା ଡଟିନ୍ ୩୪ ରନ୍ ଲେଖାଏଁ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜେସ୍ ଜୋନାସେନ୍ ସର୍ବାଧିକ ଦୁଇଟି ୱିକେଟ ନେଇଥିବା ବେଳେ ମେଗାନ୍ ଶୁଟ୍, ଆନାବେଲ ସଦରଲାଣ୍ଡ, ଟାହିଲା ମ୍ୟାକଗ୍ରାଥ, ଆଲାନ କିଙ୍ଗ ଓ ଆସଲେ ଗାର୍ଡନର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.