fbpx

ଭିନେଶଙ୍କ ଲୁହ ଦେଲା ଅମନଙ୍କୁ ବଡ଼ ଶିକ୍ଷା: ରାତି ସାରା ଝାଳ ବୁହାଇ ହ୍ରାସ କରିଥିଲେ ୪.୬ କେଜି ଓଜନ, ନଚେତ୍ ପୁଣି ଏକ ପଦକ ହରାଇଥାନ୍ତା ଭାରତ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଯେଉଁଭଳି ଭାବେ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇ ପଦକ ହାତଛଡ଼ା କଲେ ତାହା ୧୪୦ କୋଟି ଭାରତୀୟଙ୍କ ମନକୁ ଗଭୀର ଭାବେ ଆଘାତ ଦେଇଛି । ଭିନେଶ ୫୦ କେଜି ବର୍ଗରେ କୁସ୍ତି ଲଢ଼ୁଥିବା ବେଳେ ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ବଢ଼ିବା କାରଣରୁ ତାଙ୍କୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ପକ୍ଷରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । ଫାଇନାଲ ପୂର୍ବରୁ ଏଭଳି ଶକ୍ତ ଝଟକା ମିଳିବା ପରେ ଭିନେଶ ମାନସିକ ଭାବେ ମ୍ରିୟମାଣ ହୋଇ କୁସ୍ତିରୁ ଅବସର ଘୋଷଣା କରିଥିଲେ । ଏହାକୁ ବିରୋଧ କରି ଭିନେଶ କୋର୍ଟ ଅଫ୍ ଆର୍ବିଟ୍ରେସନ ଫର ସ୍ପୋର୍ଟ (କାସ)ରେ ଅପିଲ କରିଥିବା ବେଳେ ତାଙ୍କୁ ଯୁଗ୍ମ ଭାବେ ରୌପ୍ୟ ବିଜେତା ଘୋଷିତ କରାଯିବାର ଆଶା ରହିଛି ।

ଅଗଷ୍ଟ ୬ ତାରିଖରେ ପ୍ରଥମ ରାଉଣ୍ଡ କୁସ୍ତି ବେଳକୁ ଭିନେଶଙ୍କର ଓଜନ ୪୯.୯୦ କେଜି ରହିଥିବା ବେଳେ କ୍ୟୁବା ରେସଲରଙ୍କୁ ସେମିରେ ହରାଇବା ପରେ ତାଙ୍କର ଓଜନ ୫୨.୭ କେଜିରେ ପହଞ୍ଚିଯାଇଥିଲା । ତେବେ ଭିନେଶଙ୍କ ଓଜନ ହ୍ରାସ ପାଇଁ କୋଚ, ସହାୟକ ଷ୍ଟାଫ ସମସ୍ତେ ଅନିଦ୍ରା ରହି ଯଥେଷ୍ଟ ପ୍ରୟାସ କରିଥିଲେ ହେଁ ସେମାନେ ଏଥିରେ ଅସଫଳ ହୋଇଥିଲେ । ଭିନେଶଙ୍କର ଓଜନ ୫୦ କେଜିରୁ ଅଧିକ ହେବାରୁ ସେ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇଥିଲେ ।

ତେବେ ଭିନେଶଙ୍କ ଆଖିର ଲୁହ ଆଜି ଆଉ ଜଣେ ଭାରତୀୟ ଯୁବ ଆଥଲେଟଙ୍କୁ ପଦକ ବିଜୟ ଦେବାରେ ସହାୟକ ହୋଇଛି । ୫୭ କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିବା ଅମନ ସେହରାୱତଙ୍କ କ୍ଷେତ୍ରରେ ମଧ୍ୟ ଓଜନ ବୃଦ୍ଧି ମୁଖ୍ୟ ସମସ୍ୟା ସାଜିଥିଲା । ମାତ୍ର ସେ କଠିନ ପରିଶ୍ରମ କରି ମୁକାବିଲା ପୂର୍ବରୁ ନିଜର ଓଜନକୁ ହ୍ରାସ କରିପାରିଥିଲେ । ଅଗଷ୍ଟ ୯ରେ ଅମନ ପ୍ଲୁର୍ଟୋ ରିକୋର ଡେରିୟନ ଟୋଈ କ୍ରୁଜଙ୍କୁ ୧୩-୫ରେ ହରାଇ ଏହି ପଦକ ଜିତିଥିଲେ । ତେବେ ସେମିଫାଇନାଲରେ ହାରିବା ପରେ ଅମନଙ୍କର ଓଜନ ବଢ଼ି ୬୧.୫କେଜି ହୋଇଯାଇଥିଲା । କଠିନ ପରିଶ୍ରମ କରି ଅମନ ୪.୬ କେଜି କମାଇ ପାରିଥିଲେ । ଦୁଇଦିନ ପୂର୍ବରୁ ଓଜନ ବୃଦ୍ଧି କାରଣରୁ ଜଣେ ଭାରତୀୟ ଝିଅ ପଦକ ହରାଇବାର ଦୁଃଖକୁ ମର୍ମେମର୍ମେ ଅନୁଭବ କରି ବଡ଼ ଶିକ୍ଷା ଲାଭ କରିଥିଲେ ଅମନ । ସେଥିପାଇଁ ଅମନ ୱିଣ୍ଡଚିଟର ଜ୍ୟାକେଟ ପିନ୍ଧି ୧୦ ଘଣ୍ଟା ଧରି ରାତିରେ ଜଗିଂ କରିଥିଲେ । ଏ ବାବଦରେ ସେ ସାକ୍ଷାତକାରରେ ଖୁଲାସ କରିଛନ୍ତି । ଯଦି ଅମନ ଭିନେଶଙ୍କ ଠାରୁ ଶିକ୍ଷାଲାଭ କରିନଥାନ୍ତେ ତେବେ ଭାରତ ଆଜି ହୁଏତ ଆଉ ଏକ ପଦକ ବିଜୟରୁ ବଞ୍ଚିତ ହୋଇଥାନ୍ତେି ।

Get real time updates directly on you device, subscribe now.