fbpx

ବାୟୋ ୱିପନ ପାଇଁ ୟୁକ୍ରେନକୁ ପଇସା ଦେଉଛି ଆମେରିକା: ବିସ୍ଫୋରକ ଅଭିଯୋଗ ଆଣିଲା ଋଷ

ନୂଆଦିଲ୍ଳୀ: ଋଷ ଏବଂ ୟୁକେନ ମଧ୍ୟରେ ଯୁଦ୍ଧ ମଧ୍ୟରେ ଉଭୟ ରାଷ୍ଟ୍ର ପରସ୍ପର ପ୍ରତି ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି । ଉଭୟ ରାଷ୍ଟ୍ର ପରସ୍ପରର ସୈନ୍ୟଙ୍କୁ ମାରିଥିବା ନେଇ ଦାବି କରୁଥିବା ବେଳେ ଏହାରି ମଧ୍ୟରେ ଏକ ବିସ୍ଫୋରକ ବୟାନ ଜାରି କରିଛି ଋଷିଆ । ଯୁଦ୍ଧ ସଙ୍କଟ ମଧ୍ୟରେ ଆମେରିକା ନାମରେ ଏକ ସାଂଘାତିକ ଅଭିଯୋଗ ଆଣିଛି ଋଷ । ୟୁକ୍ରେନରେ ଋଷ ସୈନ୍ୟମାନେ ବିପୁଳ ପରିମାଣରେ ଜୈବ ହତିଆର ମହଜୁଦ ଥିବାର ପ୍ରମାଣ ପାଇଥିବା ନେଇ ଅଭିଯୋଗ ଆସିଛି । ଏହି ବାୟୋ ୱିପନ ପଛରେ ଆମେରିକାର ହାତ ରହିଥିବା ନେଇ ଋଷ ଅଭିଯୋଗ କରିଛି । ବାୟୋ ୱିପନ କିଣିବା ପାଇଁ ଆମେରିକା ଆର୍ଥିକ ସହାୟତା ଦେଉଛି ବୋଲି ଋଷ ଅଭିଯୋଗ ଆଣିଛି ।

ଋଷର ଏଭଳି ଅଭିଯୋଗ ପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏହା ଉପରେ ଆଲୋଚନା ହୋଇଥିଲା । ଋଷ ସମସ୍ତଙ୍କ ମନରେ ଭ୍ରମ ସୃଷ୍ଟି ପାଇଁ ପ୍ରୟାସ କରୁଛି ବୋଲି ଆମେରିକା ପ୍ରତ୍ୟାରୋପ ଲଗାଇଥିଲା । ରାଷ୍ଟ୍ରପତି ପୁତିନ ଏଭଳି ଅବୈଧ କାମରେ ଲିପ୍ତ ରୁହନ୍ତି ଏବଂ ଏହା ଋଷର ଷଡଯନ୍ତ୍ର ବୋଲି ଆମେରିକା କହିଛି । ଋଷୀୟ ସରକାରଙ୍କ ପକ୍ଷରୁ ଟ୍ୱିଟ କରାଯାଇ ଆମେରିକା ବାୟୋ ୱିପନ ଯୁଦ୍ଧ ପାଇଁ ୟୁକ୍ରେନକୁ ପ୍ରସ୍ତୁତ କରୁଛି ବୋଲି କହିଥିଲେ । ଏହି ଅଭିଯୋଗକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇ ଋଷର ସହଯୋଗୀ ରାଷ୍ଟ୍ର ଚୀନ କଡା ପ୍ରତିକ୍ରିୟା ପ୍ରକାଶ କରିଛି । ଏହି ମାମଲାର ତଦନ୍ତ ହେବା ନିହାତି ଆବଶ୍ୟକ ବୋଲି ଚୀନ୍ ଦାବି କରିଛି । ଆମେରିକାରେ ଚୀନର ରାଷ୍ଟ୍ରଦୂତ ରହିଥିବା ଝାଙ୍ଗ ଜୁନ କହିଛନ୍ତି ଯଦି ଆମେରିକା ବାସ୍ତବରେ ଏମିତି କାମ କରୁଛି ତାହେଲେ ଏହାର ତଦନ୍ତ ହେବା ନିହାତି ଆବଶ୍ୟକ । ଏହି ଘଟଣାକୁ ନେଇ ଆମେରିକୀୟ ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ ଗ୍ରୀନଫିଲ୍ଡ ଚୀନକୁ ଉତ୍ତର ଦେଇଛନ୍ତି । ଆମେରିକା କଦାପି ଜୈବ ହତିଆର ବ୍ୟବହାର ସପକ୍ଷରେ ନାହିଁ । ଏପରିକି ଆମେରିକାର କୌଣସି ଜୈବିକ ପ୍ରୟୋଗଶାଳା ମଧ୍ୟ ନାହିଁ ବୋଲି କହିଛନ୍ତି ଲିଣ୍ଡା । ତେବେ ଋଷ ଏହି ଯୁଦ୍ଧରେ ବାୟୋ ୱିପନର ବ୍ୟବହାର କରୁଛି ବୋଲି ଆମେରିକା ଅଭିଯୋଗ କରିଛି ।

Get real time updates directly on you device, subscribe now.