fbpx

ପୁଟିନଙ୍କୁ ଆମେରିକାର ଚେତାବନୀ, ରାସାୟନିକ ଅସ୍ତ୍ର ବ୍ୟବହାର କଲେ ପରିଣାମ ଭୟଙ୍କର ହେବ

ୱାଶିଂଟନ : ଦୀର୍ଘ ୧୮ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ୟୁକ୍ରେନ ଉପରେ ଋଷ ଲଗାଦାର ଆକ୍ରମଣ ଜାରି ରଖିଛି । ଶନିବାର ଋଷସେନା ୟୁକ୍ରେନର ବିଭିନ୍ନ ସ୍ଥାନରେ ବୋମାମାଡ ଜାରି ରଖିଥିବା ବେଳେ ରାଜଧାନୀ ‘କିଭ୍‌’ ଦଖଲ ପାଇଁ ଯୋଜନା ପ୍ରସ୍ତୁତ କରିସାରିଛି । ୟୁକ୍ରେନର ଓଡେଶାରେ ଋଷ ସେନା ବୋମାବର୍ଷଣ କରିଚାଲିଛି । ସେପଟେ ଯଦି ଋଷ ୟୁକ୍ରେନରେ ରାସାୟନିକ ଅସ୍ତ୍ରର ବ୍ୟବହାର କରେ ତେବେ ତା’ର ପରିଣାମ ଭୟଙ୍କର ହେବବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି ।

ସେ କହିଛନ୍ତି ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମସ୍କୋ ବିରୋଧରେ ଆମେରିକା ଅବତ୍ତୀଣ୍ଣ ହେବନାହିଁ । ଯଦି ଋଷ ବିରୋଧରେ ନାଟୋ ସିଧାସଳଖ ଯୁଦ୍ଧକୁ ଓହ୍ଲାଏ ତେବେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚିତ ବୋଲି ସେ ଚେତାଇ ଦେଇଛନ୍ତି । ସେ ଆହୁରି କହିଛନ୍ତି ୟୁରୋପରେ ସହଯୋଗୀ ରାଷ୍ଟ୍ର ସହ ନାଟୋ ଏକାଠି ହୋଇଛି ଏବଂ ଯୁଦ୍ଧ ପରିପ୍ରେକ୍ଷୀରେ ନିର୍ଭୁଲ ବାର୍ତ୍ତା ଦିଆଯାଉଛି । ଆମେରିକା ନେତୃତ୍ୱରେ ନାଟୋ ସୀମାର ପ୍ରତି ଇଞ୍ଚ ମାଟିର ସୁରକ୍ଷା ଲାଗି ପଦକ୍ଷେପ ନିଆଯିବ । ୩୦ରାଷ୍ଟ୍ରକୁ ନେଇ ଗଠିତ ନାଟୋର ଉଦ୍ଦେଶ୍ୟ ହେଉଛି ଏହାର ସଦସ୍ୟ ରାଷ୍ଟ୍ରର ସ୍ୱାଧିନତା ଓ ନିରାପତ୍ତାକୁ ସୁରକ୍ଷା ଯୋଗାଇବା ।

ସେ ଆହୁରି କହିଛନ୍ତି ଯେ, ୟୁକ୍ରେନରେ କଦାପି ଋଷର ବିଜୟ ଘଟିବ ନାହିଁ । ନାଟୋକୁ ଦୁର୍ବଳ କରିବା ପାଇଁ ପୁଟିନଙ୍କ ପଦକ୍ଷେପ ବିଫଳ ହୋଇଛି । ଏହାସହ ୟୁକ୍ରେନ ଉପରେ ଅଧିକାର ସାବ୍ୟସ୍ତ କରିବା ଉଦ୍ୟମରେ ମଧ୍ୟ ଋଷ ବିଫଳତା ପାଇଛି । ୟୁକ୍ରେନବାସୀଙ୍କ ଲାଗି ଆମେରିକାବାସୀ ଛିଡା ହୋଇଛନ୍ତି ଓ ସ୍ୱେଚ୍ଛାଚାରୀ ଶାସକଙ୍କ ଏକଛତ୍ର ଶାସନକୁ ଆମେରିକା କଦାପି ସୁଯୋଗ ଦେବନାହିଁ । ଋଷକୁ ପ୍ରଦତ୍ତ ସବୁଠାରୁ ପସନ୍ଦ ଯୋଗ୍ୟ ରାଷ୍ଟ୍ର ବା ଏମ୍‌ଏଫ୍‌ଏନ୍‌ ମାନ୍ୟତା ପ୍ରତ୍ୟାହାର ପାଇଁ ଆମେରିକା କଂଗ୍ରେସକୁ ସେ ଅବଗତ କରିବେ ବୋଲି ମଧ୍ୟ କହିଛନ୍ତି । ଯୁଦ୍ଧରେ ସାମିଲ ହୋଇନଥିଲେ ବି ଆମେରିକା ୟୁକ୍ରେନକୁ କୋଟି କୋଟି ଟଙ୍କା ମୂଲ୍ୟର ବିମାନ ଓ ଟ୍ୟାଙ୍କ ବିଧ୍ୱଂସୀ ଅସ୍ତ୍ରଶସ୍ତ୍ର ପଠାଉଛି । ଏହାସହ ଗୁଇନ୍ଦା ତଥ୍ୟର ଆଦାନପ୍ରଦାନରେ ଆମେରିକା ମଧ୍ୟ ଏକ ପ୍ରମୁଖ ଭୂମିକା ନେଉଛି ବୋଲି ସେ ପ୍ରଶ୍ନ କରିଥିଲେ ।

Get real time updates directly on you device, subscribe now.