fbpx

“ଓଡ଼ିଶା ଭାସ୍କର’ର ସ୍ୱନକ୍ଷତ୍ର ଉତ୍ସବ ପାଳିତ: ସାମ୍ବାଦିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ: ମାନସ ମଙ୍ଗରାଜ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଉତ୍ସର୍ଗୀକୃତ ସେବା ମନୋଭାବ ଓ ନିଷ୍ଠାପରତାକୁ ପାଥେୟ କରି ସାମ୍ବାଦିକମାନେ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରିଥାନ୍ତି । ବିଭିନ୍ନ ଘାତ ପ୍ରତିଘାତ ମଧ୍ୟରେ କଷଟିଥରରେ କଷି ହେଉଥିଲେ ମଧ୍ୟ ସେମାନେ କେବେ ବି ନିଜ ବୃତ୍ତିରୁ ବିଚ୍ୟୁତ ହୁଅନ୍ତି ନାହିଁ । ସେମାନେ ରୋଜଗାର ପାଇଁ ସମ୍ବାଦପତ୍ର ଶିଳ୍ପକୁ ଆଧାର କରିନଥାନ୍ତି । ନିରପେକ୍ଷ ସମ୍ବାଦ ପରିବେଷଣ କରି ଲୋକଙ୍କ ପ୍ରିୟଭାଜନ ହେବା ସହ ଉତ୍ସର୍ଗୀକୃତ ମନୋଭାବ ନେଇ ସେମାନେ କାମ କରିବାକୁ ସଦାସର୍ବଦା ଉଦ୍ୟମ କରିଥାନ୍ତି । ଏ କ୍ଷେତ୍ରରେ ଓଡ଼ିଶା ସରକାର ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ସଂକଳ୍ପବଦ୍ଧ ବୋଲି “ଓଡ଼ିଶା ଭାସ୍କର’ର ସ୍ୱନକ୍ଷତ୍ର ଦିବସରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ।

ସେ କହିଥିଲେ ଯେ ମୋତେ ତିନିବର୍ଷ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ପଦବୀରେ ନିଯୁକ୍ତି ଦେଇଥିଲେ । ସେତେବେଳେ ମୁଁ ମୋର ଗୁରୁଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିପାରିବି କି ନାହିଁ ସେ ନେଇ ଚିନ୍ତା ପ୍ରକଟ କରିଥିଲି । ସେତେବେଳେ ଆମେ ଯେଉଁ ସ୍ୱପ୍ନ ଦେଖିଥିଲୁ ସେଥିରେ ପ୍ରତିବନ୍ଧକ ସାଜିଥିଲା କରୋନା ମହାମାରୀ । କରୋନାର ସେହି କରାଳ ଗ୍ରାସ ଭିତରେ ଆମେ କିଞ୍ଚିତ ପରିମାଣରେ ସଫଳ ହୋଇପାରିଛୁ । କୋଭିଡର ଦୁଇ ଦୁଇଟି ଲହରରେ ମୃତ୍ୟୁବରଣ କରିଥିବା ୪୫ଜଣ ଦିବଂଗତ ସାମ୍ବାଦିକଙ୍କ ପରିବାରକୁ ଆମେ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାରେ ସମର୍ଥ ହୋଇପାରିଛୁ । ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ, ଯେ କି ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଯୋଗାଇ ଦେଇପାରିଛି । ସେହିପରି ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୭ହଜାରରୁ ଊଦ୍ଧ୍ୱର୍ ସାମ୍ବାଦିକଙ୍କୁ ସହାୟତା ରାଶି ଯୋଗାଇ ଦିଆଯାଇଛି । ସେହିପରି ସାମ୍ବାଦିକମାନଙ୍କୁ ଯୋଗାଇ ଦିଆଯାଉଥିବା ବୀମା ରାଶି ଯେପରି ପରିବାରର ସମସ୍ତଙ୍କୁ ଯୋଗାଇ ଦିଆଯାଇପାରିବ ସେ ନେଇ ମଧ୍ୟ ଆମେ ଯତପରୋନାସ୍ତି ଚେଷ୍ଟା କରୁଛୁ ବୋଲି ସେ କହିଥିଲେ ।

ସେ କହିଥିଲେ ଯେ ନିକଟରେ ତିନୋଟି ଟିମ୍‌ ଭାରତର ବିଭିନ୍ନ ରାଜ୍ୟକୁ ଗସ୍ତକରି ସେସବୁ ରାଜ୍ୟରେ ସାମ୍ବାଦିକମାନଙ୍କୁ କିଭଳି ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ତାର ଅନୁଧ୍ୟାନ କରିବେ । ଏହାପରେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ । ଏହି ଅବସରରେ ସେ “ଓଡ଼ିଶା ଭାସ୍କର’ ଓ ଓଡିଶା ଭାସ୍କର ଡିଜିଟାଲ ପ୍ଲାଟଫର୍ମର ଭୂୟସୀ ପ୍ରଶଂସା କରିଥିଲେ । ଏହି ସମାରୋହରେ ଓଡ଼ିଶା ଭାସ୍କରର ପ୍ରକାଶକ ତଥା ପରିଚାଳନା ନିର୍ଦ୍ଦେଶକ ମଧୁ ମହାନ୍ତି କହିଥିଲେ ଯେ ସମ୍ବାଦପତ୍ର ପ୍ରକାଶନ କ୍ଷେତ୍ରରେ ମୁଁ ଯେଉଁ ଅନୁଭୂତି ଲାଭ କରିଛି ତାହା ବହୁତ ଖୁବ୍‌ କମ୍‌ ଲୋକ ପାଇଥିବେ । ଯେତେବେଳେ ସମ୍ବାଦପତ୍ର ପ୍ରକାଶନ ପାଇଁ ମୁଁ ଚିନ୍ତାକଲି ସେତେବେଳେ ମୁଁ ଜଣେ ଅପ୍ରତ୍ୟାଶିତ ବ୍ୟକ୍ତି ଥିଲି ଓ ଏହା ମୋ ପାଇଁ ସଂପୂର୍ଣ୍ଣ ନୂଆ ଥିଲା । ତେବେ ଆମେ ଦୀର୍ଘ ୧୮ ବର୍ଷ ଭିତରେ ନାନା ଘାତ ପ୍ରତିଘାତ ସହି ଆଜି ଏପରି ଏକ ସ୍ତରରେ ପହଞ୍ଚିଛୁ, ଯାହାକୁ କି ରାଜ୍ୟବାସୀ ଗ୍ରହଣ କରିପାରିଛନ୍ତି ।

ଏହି ଉତ୍ସବରେ ତିଲକରାଜ ମହାନ୍ତି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶା ଭାସ୍କର ଡିଜିଟାଲ ଅତି ଅଳ୍ପଦିନ ଭିତରେ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିଥିବାରୁ ସମସ୍ତ ଟିମ୍‌ ସଦସ୍ୟଙ୍କୁ ଧନ୍ୟବାଦ ଦେବା ସହିତ ଆଗାମୀ ଦିନରେ ଓଡ଼ିଶାର ସମସ୍ତ ଜନସାଧାରଣଙ୍କ ପାଖରେ “ଓଡ଼ିଶା ଭାସ୍କର’ର ସ୍ୱର ପହଞ୍ଚିବ ବୋଲି ଆଶାବ୍ୟକ୍ତ କରିଥିଲେ । ସମାରୋହରେ ସ୍ୱାଗତ ଭାଷଣ ଦେଇ “ଓଡ଼ିଶା ଭାସ୍କର’ର ମୁଖ୍ୟ ସଂପାଦକ ପ୍ରଦୋଷ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶା ଭାସ୍କରର ପରିଚାଳନା ନିର୍ଦ୍ଦେଶକ ମଧୁ ମହାନ୍ତିଙ୍କ ଯାତ୍ରାପଥ ଥିଲା ବହୁ ଦୁର୍ବାର । ମୁଦ୍ରିତ ଓ ଡିଜିଟାଲ ଗଣମାଧ୍ୟମ କ୍ଷେତ୍ରରେ ସେ ଏକ ବୈ୍ଲବିକ ପରିବର୍ତ୍ତନ ଆଣିବାରେ ସଫଳ ହୋଇପାରିଛନ୍ତି ।

ଏହି ସମ୍ବାଦପତ୍ରର ସଫଳତା ତାଙ୍କର ଏକ ସ୍ୱପ୍ନ ଥିଲା । କେବଳ ସମ୍ବାଦପତ୍ର ନୁହେଁ, ତାଙ୍କର ସାମାଜିକ ଅଙ୍ଗୀକାରବଦ୍ଧତା ତାଙ୍କୁ ହିଁ ସବୁକ୍ଷେତ୍ରରେ ଶ୍ରେଷ୍ଠ କରିପାରିଛି । ଓଡ଼ିଶା ଭାସ୍କରର ମୁଖ୍ୟ ପରିଚାଳନା ଅଧିକାରୀ ତଥା ବ୍ୟୁରୋ ଚିଫ୍‌ କୌସ୍ତୁଭ ଦାସ ଅତିଥି ପରିଚୟ ପ୍ରଦାନ କରି ଓଡ଼ିଶା ଭାସ୍କରର ଦୀର୍ଘ ଯାତ୍ରାରେ କିରି ସଫଳତା ପ୍ରାପ୍ତି ହୋଇଛି ତାର ଅବତାରଣା କରିଥିଲେ । ପରିଶେଷରେ ଓଡ଼ିଶା ଭାସ୍କର ଡିଜିଟାଲ ମୁଖ୍ୟ ସୋମ୍ୟ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଏଚଡିଏଫ୍‌ସି ବ୍ୟାଙ୍କର ଭାଇସ୍‌ ପ୍ରେସିଡେଣ୍ଟ ଅନନ୍ତ ପଟ୍ଟନାୟକ, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ବରିଷ୍ଠ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୈନିକ ସମ୍ବାଦପତ୍ର “ସକାଳ’ର କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ଦାସ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.