ଟ୍ରମ୍ପଙ୍କ ଡର…. ଗର୍ଭ ନିରୋଧକ ପିଲ୍ ପାଇଁ ଔଷଧ ଦୋକାନରେ ଭିଡ଼, କ’ଣ ପାଇଁ ମହିଳାମାନେ ଏପରି କରିବାକୁ ହେଉଛନ୍ତି ବାଧ୍ୟ?
ୱାଶିଂଟନ୍: ନିକଟରେ ସରିଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ । ବହୁ ସଂଖ୍ୟକ ଭୋଟରେ ଡୋନାଲ୍ଡ ଟ୍ରମ୍ପ ଜିତିଛନ୍ତି ମଧ୍ୟ । ଟ୍ରମ୍ପ ରାଷ୍ଟ୍ରପତି ହେବା ନେଇ ତାଙ୍କ ବିପକ୍ଷ ଖୁସି ନ ହେବା ସ୍ୱଭାବିକ କଥା । କିନ୍ତୁ ଦେଶର ମହିଳାଙ୍କ ଚିନ୍ତା ବଢ଼ିଯିବା ଘଟଣା ଅଜବ ଲାଗୁଛି । ଔଷଧ ଦୋକାନରେ ଗଚ୍ଛିତ ଥିବା ଗର୍ଭ ନିରୋଧକ ବଟିକାର ପରିମାଣ ଶେଷ ହେବାରେ ଲାଗିଛି । ସ୍ଥାନୀୟ ଡାକ୍ତରଖାନାରେ ଗର୍ଭପାତ କରିବା ପାଇଁ ଚାହୁଁଥିବା ମହିଳାଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ଖାଲି ଏତିକି ନୁହେଁ, ମହିଳାମାନେ ନିଜ ଗର୍ଭାଶୟର ବନ୍ଧ୍ୟାକରଣ କରିବା ପାଇଁ ମଧ୍ୟ ଡାକ୍ତରଙ୍କ ନିକଟରେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି । ସେହିପରି ଗର୍ଭ ନିରୋଧକ ବଟିକା ନିର୍ମାଣକାରୀ କମ୍ପାନୀ ଦେଇଥିବା ତଥ୍ୟ ଅନୁସାରେ ଟ୍ରମ୍ପଙ୍କ ବିଜୟର ୬୦ ଘଣ୍ଟା ଭିତରେ ଗର୍ଭନିରୋଧକ ପିଲ୍ର ବିକ୍ରି ୯୬୬% ବୃଦ୍ଧି ହୋଇଛି ।
ଆମେରିକାରେ ମହିଳାମାନେ ଡ୍ରମ୍ପଙ୍କୁ ଡରିବାର ମୁଖ୍ୟ କାରଣ ହେଉଛି ଆବର୍ସନ୍ ରାଇଟ୍ସ ବା ଗର୍ଭପାତ ଅଧିକାର । ଟ୍ରମ୍ପ ଗର୍ଭପାତକୁ ବିରୋଧ କରୁଥିବାବେଳେ ମହିଳାମାନେ ଏବେ ନିଜ ଅଧିକାରକୁ ନେଇ ଚିନ୍ତିତ ଥିବା ଦେଖାଯାଉଛି । ଯଦି ଟ୍ରମ୍ପ ସରକାର ଦେଶରେ ଗର୍ଭପାତକୁ ବେଆଇନ କରି ଦେବେ ତେବେ ଆବର୍ସନ କରିବାକୁ ଚାହୁଁଥିବା ମହିଳାଙ୍କୁ ଅସୁବିଧା ଭୋଗିବାକୁ ପଡ଼ିବ । ଆମେରିକାର ୫୦% ମହିଳା ଏବେ ମାନସିକ ଚିନ୍ତାରେ ଅଛନ୍ତି ଯେ, ଟ୍ରମ୍ପ ସରକାର ଆସିବା ପରେ ସେମାନଙ୍କୁ ଗର୍ଭପାତ ଅଧିକାର ମିଳିବ ନା ନାହିଁ! ଯଦି ମୁଳିବ ତେବେ ଡାକ୍ତରଖାନାରେ ସେ ସମ୍ବନ୍ଧୀୟ ସୁବିଧା ସୁଯୋଗ ଯୋଗାଇଦିଆଯିବ କି ନାହିଁ? କିଛି ମହିଳା ଅନ୍ୟ ସ୍ଥାନକୁ ଯିବାକୁ ମଧ୍ୟ ନିଷ୍ପତ୍ତି ନେଲେଣି, ଯେଉଁଠାରେ ଆବର୍ସନ୍ରେ କୌଣସି କଟକଣା ନାହିଁ । ତେବେ ଅନେକ ସାକ୍ଷାତକାର ଓ ଭାଷଣରେ ଟ୍ରମ୍ପ ଗର୍ଭପାତ ଅଧିକାରକୁ ହଟାଇବା ନେଇ ନିଜ ମତ ରଖିଆସୁଛନ୍ତି । ଆଉ ଏବେ ଶାସନ କ୍ଷମତାକୁ ଆସିବା ପରେ ଟ୍ରମ୍ପ ଏ ସମ୍ପର୍କରେ କୌଣସି କଠୋର ନିଷ୍ପିତ୍ତି ନେବା ଆଶଙ୍କା କରି ମହିଳାମାନେ ଆଗୁଆ ଗର୍ଭନିରୋଧକ ବଟିକା କିଣିବା ଆରମ୍ଭ କରିଛନ୍ତି ଏବଂ ବନ୍ଧ୍ୟାକରଣ ନେଇ ଡାକ୍ତରଙ୍କଠାରୁ ଆଗୁଆ ପରାମର୍ଶ କରିବା ଆରମ୍ଭ କରିଦେଇଛନ୍ତି । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରଠାରୁ ଦେଶରେ ଆବର୍ସନ୍ ରାଇଟ୍ସକୁ ନେଇ ଟ୍ରମ୍ପ ଏବେସୁଦ୍ଧା କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।