ନୂଆଦିଲ୍ଲୀ: ଅମିତ ଶାହାଙ୍କ ଡିପଫେକ୍ ଭିଡିଓ ମାମଲାରେ ଦିଲ୍ଲୀ ପୋଲିସ ପ୍ରଥମ ଗିରଫ କରିଛି । ପୋଲିସ ଅରୁଣ ରେଡ୍ଡୀଙ୍କୁ ଦିଲ୍ଲୀରୁ ଗିରଫ କରିଛି ଏବଂ ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯିବ । ପୋଲିସର ସୂଚନାନୁସାରେ, ଅରୁଣ ରେଡ୍ଡୀ ସୋସିଆଲ ମିଡିଆରେ ସ୍ପିରିଟ୍ ଅଫ୍ କଂଗ୍ରେସ ନାମରେ ଏକ ଆକାଉଣ୍ଟ ଚଳାଉଥିଲେ ଏବଂ ଅମିତ ଶାହାଙ୍କ ଡିପଫେକ୍ ଭିଡିଓ ପୋଷ୍ଟ କରିଥିଲେ । ସୂଚନା ଅନୁଯାୟୀ ଅରୁଣ ରେଡ୍ଡୀ ହେଉଛନ୍ତି ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ର ସୋସିଆଲ ମିଡିଆ ଜାତୀୟ ସଂଯୋଜକ । ରେଡ୍ଡୀ ତାଙ୍କ ମୋବାଇଲ୍ ଫୋନରୁ ପ୍ରମାଣ ଲିଭାଇଥିବା ଅଭିଯୋଗ ହୋଇଛି, ତେଣୁ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଉଛି ।
ଅରୁଣ ରେଡ୍ଡୀଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି ଏବଂ ତାଙ୍କୁ ଆସନ୍ତାକାଲି କୋର୍ଟରେ ବିଚାରପତିଙ୍କ ନିକଟରେ ହାଜର କରାଯିବ । କୋର୍ଟରେ ଅମିତ ଶାହାଙ୍କ ଏଡିଟେଡ ଭିଡିଓରେ ଅରୁଣ ରେଡ୍ଡୀଙ୍କ ଭୂମିକା ପ୍ରକାଶ କରିବ ଏବଂ ତାଙ୍କ ହେପାଜତ ମଧ୍ୟ ଦାବି କରିବ ଦିଲ୍ଲୀ ପୋଲିସ ।
ତେବେ ଲୋକସଭା ନିର୍ବାଚନ ୨୦୨୪ ସମୟରେ ମିଥ୍ୟା ପ୍ରଚାର ପ୍ରସାର ଲକ୍ଷ୍ୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କର ଏକ ଏଡିଟେଡ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଘଟଣାରେ ପୋଲିସ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଆଇଏଫଏସଓ ଅନୁସନ୍ଧାନରେ ପୋଲିସ ଏକ ପ୍ରମୁଖ ଖୁଲାସା କରିଥିଲା ଯେ ଅମିତ ଶାହାଙ୍କ ଡିପଫେକ୍ ଭିଡିଓ ପ୍ରଥମେ ତେଲେଙ୍ଗାନାର ଏକ ଆଇପି ଆଡ୍ରେସରୁ ପୋଷ୍ଟ କରାଯାଇଥିଲା ।