୧୦୦% ଅର୍ଚ୍ଚନା ନାଗ୍‌ ମୋତେ ଫସାଇ ଦେଇଛନ୍ତି, ଜେଲ୍ ଯିବା ପୂର୍ବରୁ ଚାଞ୍ଚଲ୍ୟକର ବୟାନ ଦେଲେ ଅମରେଶ ଜେନା

ଅର୍ଚ୍ଚନା ନାଗ୍‌ଙ୍କୁ ପଚାରିଲେ ସେ ସବୁ କହିପାରିବେ କହିଲେ ଅମରେଶ ଜେନା ।

ଭୁବନେଶ୍ବର: ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଲ୍ ଗଲେ ବିଜେଡି କର୍ପୋରେଟର ଅମରେଶ ଜେନା । ଗିରଫ ଅଭିଯୁକ୍ତଙ୍କ ଜାମିନ କୋର୍ଟରେ ନାମଞ୍ଜୁର ହେଲା ପରେ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି । ଏହାରି ଭିତରେ ଜେଲ୍ ଯିବା ପୂର୍ବରୁ ଆଜି ଅମରେଶ ଜେନା ଗଣମାଧ୍ୟମକୁ ଏକ ପ୍ରତିକ୍ରିୟା ଦେଇଛନ୍ତି ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ସେ ଜେଲ୍ ଯିବା ପୂର୍ବରୁ କହିଛନ୍ତି, ” ମୋତେ ଅର୍ଚ୍ଚନା ନାଗ୍‌ ଫସାଇ ଦେଇଛନ୍ତି । ୧୦୦% ଅର୍ଚ୍ଚନା ନାଗ୍‌ ମୋତେ ଫସାଇ ଦେଇଛନ୍ତି । ଅର୍ଚ୍ଚନା ନାଗ୍‌ଙ୍କୁ ପଚାରିଲେ ସେ ସବୁ କହିପାରିବେ । ”

ତେବେ ଅମରେଶ ଜେନା ଏଭଳି କାହିଁକି କହିଲେ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନି କରି ଅର୍ଚ୍ଚନା ନାଗ ଅମରେଶ ଜେନାଙ୍କ ନାଁ ନେଇଥିବା ବେଳେ ଏବେ ଜେଲ୍ ଯିବା ପୂର୍ବରୁ ସେ ଅର୍ଚ୍ଚନାର ନାଁ ନେବା ଏକ ପ୍ରକାର ଟୁଇଷ୍ଟ ଭଳି ମନେ ହେଉଛି । ହେଲେ ଏହି ଘଟଣାରେ ଅର୍ଚ୍ଚନା ନାଗ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ଜଣେ ଯୁବତୀ ଅମରେଶ ଜେନାଙ୍କ ନାଁରେ ଲକ୍ଷ୍ମୀସାଗର ଥାନାରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ୨୦୨୩ରେ ସେ ନାବାଳିକା ଥିବାବେଳେ ଅମରେଶ ତାଙ୍କ ସହ ଦୁଷ୍କର୍ମ କରି ଗର୍ଭବତୀ କରାଇଥିଲେ । ଏହି କଥା କାହାକୁ ନକହିବା ପାଇଁ ଧମକ ମଧ୍ୟ ଦେଇଥିଲେ ।

ଏନେଇ ଲକ୍ଷ୍ମୀସାଗର ଥାନା ପୋଲିସ ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ବାଲେଶ୍ବରରୁ ଅମରେଶ ଜେନାଙ୍କୁ ଗିରଫ କରିଛି କମିସନରେଟ୍ ପୋଲିସ ।