fbpx

୩୮ ବର୍ଷ ତଳେ ମାତ୍ର ୧୦,୦୦୦ ଟଙ୍କା ନିବେଶରେ ଆରମ୍ଭ ହୋଇଥିବା ସଂସ୍ଥା ଏବେ ଦେଶରେ ୩୦୦କୋଟିର କାରବାର କରୁଛି: ଉଦୟ କୋଟାକ

ନୂଆଦିଲ୍ଲୀ: ବିଲିଓନେୟାର ତଥା ପ୍ରତିଷ୍ଠିତ ବ୍ୟାଙ୍କର ଉଦୟ କୋଟାକ କୋଟାକ ମହିନ୍ଦ୍ରା ବ୍ୟାଙ୍କର ମ୍ୟାନେଜିଂ ଡାଇରେକ୍ଟର (ଏମଡି) ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦରୁ ସେପ୍ଟେମ୍ବର ୨ରେ ଇସ୍ତଫା ଦେଇଛନ୍ତି । ଉଦୟ କୋଟାକ ୩୧ ଡିସେମ୍ବର ୨୦୨୩ରେ ଅବସର ନେବାର ଥିଲା । ଏହାର ୪ ମାସ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଉଦୟଙ୍କ ଉତ୍ତରାଧିକାରୀ ଚୟନ ହେବା ପର୍ଯ୍ୟନ୍ତ ବ୍ୟାଙ୍କର ବର୍ତ୍ତମାନର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ (ଜଏଣ୍ଟ ଏମଡି) ଦୀପକ ଗୁପ୍ତା ୩୧ ଡିସେମ୍ବର ପର୍ଯ୍ୟନ୍ତ ଉଦୟଙ୍କ ଦାୟିତ୍ୱ ସମ୍ଭାଳିବେ ।

ତେବେ ଉଦୟ କୋଟାକ ସିଇଓ ପଦରୁ ଇସ୍ତଫା ଦେଇଥିଲେ ବି ବ୍ୟାଙ୍କର ନନ୍ ଏକଜିକ୍ୟୁଟିଭ ଡାଇରେକ୍ଟର ଓ ସେୟାରହୋଲ୍ଡର ରହିବେ । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଉଦୟ କୋଟାକ ନିଜ ଉତ୍ତରାଧିକାରୀ ଚୟନ ଯୋଜନା ବିଷୟରେ ଲେଖିଛନ୍ତି । ୬୪ ବର୍ଷୀୟ ଏହି ବ୍ୟାଙ୍କର କହିଛନ୍ତି, କୋଟାକ ମହିନ୍ଦ୍ରା ବ୍ୟାଙ୍କ କିପରି ମାତ୍ର ୧୦,୦୦୦ ଟଙ୍କାରୁ ଆରମ୍ଭ ହୋଇଥିବା ଏହି ସଂସ୍ଥା ଆଜି କୋଟି କୋଟି ଟଙ୍କାର କାରବାର କରୁଛି । ସେ ଉଲ୍ଲେ୍ଲ୍‌ଖ କରିଛନ୍ତି ୧୯୮୫ରେ ମାତ୍ର ୧୦,୦୦୦ ଟଙ୍କା ନିବେଶ କରି ଗଠିଉଠିଥିବା ଏହି ଆର୍ଥିକ ସଂସ୍ଥା ଆଜି ୩୦୦ କୋଟିରେ ପହଞ୍ଚିପାରିଛି ।

ସେ କହିଛନ୍ତି ଆଜିକୁ ୩୮ ବର୍ଷ ତଳେ ମାତ୍ର ୩ ଜଣ କର୍ମଚାରୀ ଓ ୩୦୦ ବର୍ଗଫୁଟର ଅଫିସକୁ ନେଇ ସେ ଫୋର୍ଟ ମୁମ୍ମାଇରେ ଏହି ସଂସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ସମୟରେ ସେ ଜେପି ମୋର୍ଗାନ, ଗୋଲ୍ଡମ୍ୟାନ ସାଚସ୍ ପରି କମ୍ପାନୀ ଦ୍ୱାରା ପ୍ରଭାବିତ ହୋଇ ଭାରତରେ ସେହିପରି ଏକ ସଂସ୍ଥା ଖୋଲିବାକୁ ଯୋଜନା କରିଥିଲେ ।

ଉଦୟ କୋଟାକ କହିଛନ୍ତି ତାଙ୍କ କମ୍ପାନୀ ଦେଶରେ ପ୍ରତ୍ୟକ୍ଷ ଭାବରେ ୧ ଲକ୍ଷ ଚାକିରୀ ସୃଷ୍ଟି କରିପାରିଛି । ଭାରତ ଏକ ଅର୍ଥନୈତକ ପାୱାର ହବ୍ ହେବାରେ କୋଟାକ ମହିନ୍ଦ୍ରା ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ରହି ଆସିଥିବ ବୋଲି ସେ କହିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ବ୍ୟାଙ୍କର ମାର୍କେଟ୍ ପୁଞ୍ଜି ଏବେ ୩.୫୨ ଲକ୍ଷ କୋଟି ରହିଛି ।

ତେବେ ଅବସର ପୂର୍ବରୁ ଇସ୍ତଫା ଦେବାର କାରଣ ସଂପର୍କରେ କହିଛନ୍ତି ଯେହେତୁ ବ୍ୟାଙ୍କର ଯୁଗ୍ମ ପରିଚାଳନା ବା ଜଏଣ୍ଟ ଏମଡି ଓ ମୋର ଚଳିତ ବର୍ଷ ଶେଷ ସୁଦ୍ଧା ଅବସର ସମୟ ଥିଲା ତେଣୁ ମୁଁ ସ୍ୱେଚ୍ଛାକୃତ ଭାବରେ ଅବସର ନେଇ ତାଙ୍କୁ ଏହି ଦାୟିତ୍ୱ ଗ୍ରହଣ କରିବାର ଅବସର ଦେଇଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଉଦୟ କୋଟାକ ୧୯୮୫ରେ କୋଟାକ ମହିନ୍ଦ୍ରା ନନ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ ଭାବରେ ଏହାକୁ ଆରମ୍ଭ କରିଥିଲେ । ୨୦୦୩ରୁ ଏକ ସଂପୂର୍ଣ୍ଣ କମର୍ସିଆଲ ବ୍ୟାଙ୍କ ଭାବରେ ଲାଇସେନ୍ସ ମିଳିବା ପରେ ଉଦୟ କୋଟାକ୍ ଏହାର ନେତୃତ୍ୱ ନେଇ ଆସୁଥିଲେ । ଉଦୟ କୋଟାକଙ୍କ ପାଖରେ ବ୍ୟାଙ୍କର ୨୬ ପ୍ରତିଶତ ଅଂଶଧନ ରହିଛି ।

Get real time updates directly on you device, subscribe now.