fbpx

ଜେଲରେ ଖୋଲିବ ଅଙ୍ଗନୱାଡ଼ି କେନ୍ଦ୍ର, ବନ୍ଦୀମାନଙ୍କ ପିଲାଙ୍କ ସମସ୍ତ ଦାୟିତ୍ୱ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଜେଲରେ ଖୋଲିବ ଅଙ୍ଗନୱାଡ଼ି କେନ୍ଦ୍ର । ଜେଲରେ ରହିଥିବା ବିଚାରାଧୀନ ବନ୍ଦୀ ଓ ସଜା କାଟୁଥିବା ବନ୍ଦୀଙ୍କ ପିଲାମାନଙ୍କର କଥା ବୁଝିବେ ସରକାର । ବନ୍ଦୀଙ୍କର ୧୮ ବର୍ଷରୁ କମ୍ ବୟସର ସନ୍ତାନଙ୍କ ପାଇଁ ଏକ ଖସଡ଼ା ପ୍ରସ୍ତୁତ ହୋଇଛି । ପିଲାମାନଙ୍କର ବାପା କିମ୍ବା ସେମାନଙ୍କୁ ଯତ୍ନ ନେଉଥିବା ବ୍ୟକ୍ତି ଯଦି ଜେଲରେ ଥିବେ, ତେବେ ଏଭଳି ସ୍ଥିତିରେ ପିଲାମାନଙ୍କର ପରିସ୍ଥିତି ବିଷୟରେ ଅନୁଧ୍ୟାନ କରାଯିବ ।

ପିଲାମାନେ କେଉଁ ପରିବେଶରେ ରହୁଛନ୍ତି, ପାଠ ପଢ଼ୁଛନ୍ତି କି ନାହିଁ, ସେମାନଙ୍କ ଯତ୍ନ କିଏ ନେଉଛି ଆଦି ବାବଦରେ ତଥ୍ୟ ସଂଗ୍ରହ କରାଯିବ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି (ଡିସିପିୟୁ) ଓ ଜିଲ୍ଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ପକ୍ଷରୁ ମିଳିତ ଭାବେ ଜେଲ୍ ପରିଦର୍ଶନ କରାଯିବ । ଜେଲ ଭିତରେ ମାଆମାନଙ୍କ ସହିତ ରହୁଥିବା ପିଲାଙ୍କ ସ୍ଥିତି ସମୀକ୍ଷା କରାଯିବ । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଯେଉଁ ପିଲାମାନଙ୍କ ଚାରିପାଖରେ ବିପଦ ରହିଥିବ ସେମାନଙ୍କ ଅଧିକାର ଓ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯିବ । ପିଲାମାନଙ୍କ ସୁରକ୍ଷା ପାଇଁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । ଯେଉଁ ପିଲାଙ୍କ ଅଭିଭାବକ ଅତିକମରେ ଦୁଇ ମାସ ଜେଲରେ ରହିଥିବେ, ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଜେଲ ଭିତରେ ମା’ମାନଙ୍କ ସହିତ ରହୁଥିବା ପିଲାମାନଙ୍କୁ ନିକଟସ୍ଥ ଅଙ୍ଗନୱାଡ଼ି କେନ୍ଦ୍ରକୁ ନେବାର ଦାୟିତ୍ୱ ବହନ କରିବେ ଜିଲ୍ଲାପାଳ ।

ଯଦି ଜେଲରେ ମା’ମାନଙ୍କ ସହିତ ଅଧିକ ସଂଖ୍ୟକ ପିଲା ରହୁଥିବେ, ତେବେ ଜେଲ ଭିତରେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲାଯିବ । ଜେଲ ଭିତରେ ପିଲାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଣ ଓ ଟିକାକରଣ ବ୍ୟବସ୍ଥା କରାଯିବ । ଜେଲ ଭିତରେ ଅଭିଭାବକ ଓ ଜେଲ ବାହାରେ ରହୁଥିବା ପିଲାମାନଙ୍କୁ ବିଜୁ ସୁରକ୍ଷା କାର୍ଯ୍ୟକ୍ରମ ଓ ଫଷ୍ଟର କେୟାର ଭଳି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଜେଲ ବାହାରେ ଥିବା ପିଲାଙ୍କୁ ଜେଲରେ ରହୁଥିବା ତାଙ୍କର ଅଭିଭାବକଙ୍କ ସହିତ ମାସକୁ ଥରେ ଭର୍ଚୁଆଲ ମୋଡ଼ରେ ଭାବ ବିନିମୟ କରାଯିବ ।

Get real time updates directly on you device, subscribe now.