fbpx
BSKY
BJD MS SKY
BJD YOUTH SKY

ବିଂଶତମ ଅଞ୍ଜଳି ମହୋତ୍ସବ ଉଦ୍ଘାଟିତ: ୨ ଜଣଙ୍କୁ ସାହସିକତା ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ସ୍ୱେଚ୍ଛାସେବୀ ସଙ୍ଗଠନ ସ୍ୱାଭିମାନ ପକ୍ଷରୁ ବିଂଶତମ ଅଞ୍ଜଳି ଆନ୍ତର୍ଜାତୀୟ ଶିଶୁ ଏବଂ ଯୁବ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଭର୍ଚୁଆଲ ଭାବେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଆରତୀ ଆହୁଜା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଦିବ୍ୟଙ୍ଗଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା ଗୁଣାବଳୀର ଦର୍ଶନ, ବିକାଶ ଏବଂ ବାଲ୍ୟକଳାର ପୁନରୁଦ୍ଧାର ପାଇଁ ସ୍ୱାଭିମାନ ସଦା ସର୍ବଦା ତତ୍ପରତା ଦେଖାଇଛି । ସଙ୍ଗଠନ ଦ୍ୱାରା ଦିବ୍ୟଙ୍ଗଙ୍କୁ ସମାଜର ମୁଖ୍ୟଶ୍ରୋତରେ ସାମିଲ କରିବା ସହ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ କରାଇ ଉତ୍ସାହିତ କରୁଛି । ଯାହାର ଫଳସ୍ୱରୁପ ସ୍ୱାଭିମାନ ପକ୍ଷରୁ କରାଯାଉଥିବା ‘ଅଞ୍ଜଳି ମହୋତ୍ସବ’ ଆଜି ୨୦ ବର୍ଷରେ ପଦାର୍ପଣ କରିପାରିଛି । ଦିନେ ମାତ୍ର ୭୭ ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ମହୋତ୍ସବରେ ଏବେ ୨୫ ରାଜ୍ୟର ୫୦ ହଜାରରୁ ଊର୍ଦ୍ଧ୍ୱ ପିଲା ଓ ଯୁବକଙ୍କୁ ସାମିଲ କରାଯାଇପାରିଛି । ଯାହାକୁକି ୭ ଦେଶରେ ଏଯାବତ୍ ପହଞ୍ଚାଯାଇଛି । ଆସନ୍ତାଦିନରେ ଦିବ୍ୟଙ୍ଗମାନଙ୍କୁ ଆହୁରି ଅଧିକ ବିକଶିତ କରିବା ସହ ସେମାନଙ୍କ ଅନ୍ତର୍ନିହିତ ଗୁଣକୁ ଆଗକୁ ଆଣିବାରେ ସଙ୍ଗଠନର ବଡ଼ ଭୂମିକା ରହିବ ବୋଲି ଉପସ୍ଥିତ ଅତିଥି ମତବ୍ୟକ୍ତ କରିଛନ୍ତି ।
ଏହି ଅବସରରେ ସାଙ୍କେତିକ ଭାଷା ବିଶେଷଜ୍ଞ ପ୍ରମୋଦ କୁମାର ମହାପାତ୍ର, ସ୍ୱାଭିମାନର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ତଥା ଅଞ୍ଜଳି ମହୋତ୍ସବର ମୁଖ୍ୟ ସଂଯୋଜକ ଡ. ଶ୍ରୁତି ମହାପାତ୍ର, ସ୍ୱାଭିମାନର ସଭାପତି ନିବେଦିତା ସ୍କଡର, ଅଞ୍ଜଳି ଶିଶୁ ଏବଂ ଯୁବ ମହୋତ୍ସବର ବ୍ରାଣ୍ଡ ଆମ୍ବାସାଡର ଅଭିନେତା ସବ୍ୟସାଚ୍ଚୀ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ବଲାଙ୍ଗିର ସମବାୟ ସମିତି ସହାୟକ ରେଜିଷ୍ଟାର ଅନନ୍ତ କୁମାର ନାୟକ (ଦୃଷ୍ଟି ବାଧିତ) ଓ ଭାରତୀୟ ରେଳ ସେବାର ସ୍ୱାଧିନ କୁମାର ପ୍ରଧାନ (ଦୃଷ୍ଟି ବାଧିତ)ଙ୍କୁ ‘ଅଞ୍ଜଳୀ ସାହସିକତା’ ପୁରସ୍କାର ପ୍ରଦାନ କରାଯାଇଛି । ଏହି ବାବଦରେ ଉଭୟଙ୍କୁ ୨୦ ହଜାର ଟଙ୍କାର ଆର୍ଥୀକ ପ୍ରୋତ୍ସାହନ ସହ ଉତ୍ତରୀୟ ଓ ମାନପତ୍ର ଦିଆଯାଇଥିଲା । ସେହିପରି ଚଳ ପ୍ରଚଳ ଜନିତ ଅକ୍ଷମତା ଯୁକ୍ତ ବ୍ୟକ୍ତି ଗୁଲସନ୍ କୁମାରଙ୍କୁ ସେବା କ୍ଷେତ୍ରରେ ୨୫ ହଜାର ଟଙ୍କା ଆରô୍ଥକ ପ୍ରୋତ୍ସାହନ, ଦୃଷ୍ଟି ବାଧିତ ତପସ୍ୱିନୀ ଦାସଙ୍କୁ ୧୦ ହଜାର ଟଙ୍କା ଆରô୍ଥକ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା । ଆସନ୍ତା ୨୨ ପର୍ୟ୍ୟନ୍ତ ମହୋତ୍ସବର ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ସଭା ଶେଷରେ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା ଯାହା ବିଗତ ବର୍ଷଗୁଡିକର ସ୍ମୃତି ଉଜାଗର କରିଥିଲା । କାର୍ୟ୍ୟକ୍ରମରେ ଉପସ୍ଥାପିକା ସୁଲଗ୍ନା ରାଉତରରାୟ ଧାରା ବିବରଣୀ ପ୍ରଦାନ କରିଥିବାବେଳେ ତନୟୀ ସାହୁ ମହୋତ୍ସବ ସମ୍ପର୍କରେ ସୂଚନା ଦେଇଥିଲେ ।

Get real time updates directly on you device, subscribe now.