fbpx

ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀକୁ ଜନଜାତି ଗୌରବ ଦିବସ ଘୋଷଣାକୁ ଆମ ଜନଜାତି ପତ୍ରିକାର ସ୍ୱାଗତ

ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀକୁ ଜନଜାତି ଗୌରବ ଦିବସ ଭାବରେ ପାଳନ କରାଯିବା ନେଇ କେନ୍ଦ୍ରୀୟ କ୍ୟାବିନେଟ ଘୋଷଣାକୁ ଡିଜିଟାଲ ଓଡ଼ିଆ ଜନଜାତି ପତ୍ରିକା “ଆମ ଜନଜାତି’ ପକ୍ଷରୁ ସ୍ୱାଗତ କରାଯାଇଛି । ରାଉରକେଲାରେ ନିର୍ମାଣାଧୀନ ଦେଶର ସର୍ବବୃହତ ହକି ଷ୍ଟାଡ଼ିୟମ ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଓଡ଼ିଶା ଏବଂ ଜନଜାତି ସମାଜ ପାଇଁ ଗୌରବ ଆଣିଦେଇଛି ।

ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ଜନଜାତି ଗୌରବ ଦିବସ ଭାବରେ ପାଳନ କରାଯିବା ସମଗ୍ର ଭାରତବର୍ଷ ନିମନ୍ତେ ଏକ ଗରିମାମୟ ମୁହୁର୍ତ୍ତ ହେବ । ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଭାରତୀୟ ଇତିହାସ ଏବଂ ସଂସ୍କୃତିରେ ଜନଜାତି ମାନଙ୍କର ବିଶେଷ ସ୍ଥାନ ତଥା ଅବଦାନକୁ ସମ୍ମାନ ଦେବା ଏବଂ ପରବର୍ତ୍ତୀ ପିଢିଙ୍କୁ ଏହି ସାଂସ୍କୃତିକ ଐତିହ୍ୟ ତଥା ଜାତୀୟ ଗର୍ବକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ଜନଜାତି ଗୌରବ ଦିବସ ପାଳନ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । କେନ୍ଦ୍ରୀୟ କ୍ୟାବିନେଟର ନିଷ୍ପତ୍ତି କ୍ରମେ ୧୫ ରୁ ୨୨ ନଭେମ୍ବର ପର୍ଯ୍ୟନ୍ତ ଦେଶବ୍ୟାପୀ ଜନଜାତି ଗୌରବ ଦିବସ ପାଳନ କରାଯିବା ନିଷ୍ପତ୍ତି ବେଶ୍ ପ୍ରଶଂସନୀୟ ।

“ଆମ ଜନଜାତି’ ର ମୁଖ୍ୟ ସମ୍ପାଦକ ମାଳତୀ ପ୍ରଧାନ, ସମ୍ପାଦକ ଅଂଶୁମାନ ମହାରଣା, ଶୁଭଦୃଷ୍ଟିର ମୁଖ୍ୟ ସମ୍ପାଦକ ଏ.ପି. ଶୁଭକାନ୍ତ ପ୍ରମୁଖ ଏହି ପ୍ରେସ ଇସ୍ତାହାର ମାଧ୍ୟମରେ କେନ୍ଦ୍ରୀୟ କ୍ୟାବିନେଟର ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଜନଜାତି କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଅନାଲୋଚିତ ଜନଜାତି ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସମ୍ପର୍କରେ ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ଗ୍ରହଣ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

Get real time updates directly on you device, subscribe now.