ଓଡ଼ିଶାରେ ବଢ଼ିଲା ଓମିକ୍ରନ ଚିନ୍ତା; ପୁଣି ବାହାରିଲେ ୬୭ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରୁ ଆଉ ୬୭ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି । ୬୭ ଜଣ ଓମିକ୍ରନ ଚିହ୍ନଟ ନେଇ ଆଇଏଲଏସ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି ।

ତେବେ ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଥିବା ଜଣାପଡ଼ିଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମୁନାହିଁ । ଗତ କିଛିଦିନ ତଳେ ସଂକ୍ରମଣ ୧୫ରୁ ୨୦ଟି ଜିଲ୍ଲା ମଧ୍ୟରେ ସୀମିତ ରହୁଥିବା ବେଳେ ଏବେ ଏହା ରାଜ୍ୟବ୍ୟାପୀ ମାଡ଼ିଗଲାଣି ।

ଆଜି ୮୭୭୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୦୯୬ ଓ ସ୍ଥାନୀୟ ଅଞ୍ଚଳରୁ ୩୬୮୨ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୭୯୨ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯୧ ହଜାର ୫୪୭ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୭୮୩ ରହିଥିବା ବେଳେ ୩୫ ହଜାର ୨୪୨ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments
Loading...