fbpx

୨୪ ତାରିଖରେ ରାଜ୍ୟରେ ପୁଣି ଏକ ଘୂର୍ଣ୍ଣିବଳୟ, ଆହୁରି ୪ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରେ ରାଜ୍ୟରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ବାଲେଶ୍ୱର,ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ଏହି ଘୂର୍ଣ୍ଣିବଳୟ ରହିବ। ଏହା ପ୍ରଭାବରେ ୨୩ରୁ ଉତ୍ତର ଓଡ଼ିଶାରେ ବର୍ଷା ହେବ। ଦିନବେଳା ଖରା ହେଉଥିବାରୁ ଅପରାହ୍ନରେ ଘଡ଼ଘଡ଼ି ହୋଇପାରେ ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ.ଶରତ ସାହୁ ପୂର୍ବାନୁମାନ କରିଛନ୍ତି । ରାଜ୍ୟରେ ଆହୁରି ୪ ଦିନ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏଥିସହ ୨୩ ତାରିଖ ଦିନ ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ୭ରୁ ୧୧ ସେମି ଯାଏଁ ବର୍ଷା ସମ୍ଭାବନ ଜାରି ରହିଛି। ୨୪,୨୫ ଓ ୨୬ ତାରିଖରେ ପ୍ରବଳ ବର୍ଷିବ।

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ୨୪ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ଓଡ଼ିଶା ଉପକୂଳରେ ୨୨ରୁ ୨୫ ତାରିଖ ଯାଏ ୩୫ରୁ ୪୫ କିମି ବେଗରେ ପବନ ବହିବ । ଏଥିପାଇଁ ମତ୍ସଜୀବୀମାନେ ସମୁଦ୍ରକୁ ନ ଯିବାକୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି) ସତର୍କତା ଜାରି କରିଛନ୍ତି ।

ଘୂର୍ଣ୍ଣିବଳୟ ପ୍ରଭାବରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁରରେ ବର୍ଷା ହେବ । ଏବେ ଦିନବେଳା ବାୟୁମଣ୍ଡଳରେ ଜଳୀୟବାଷ୍ପ ଅଧିକ ରହୁଛି । ଖରା ବି ହେଉଛି । ଏଥିପାଇଁ ଘଡ଼ଘଡ଼ିର ତୀବ୍ରତା ବଢ଼ିବ ବୋଲି ଡ. ସାହୁ ପୂର୍ବାନୁମାନ କରିଛନ୍ତି । ନୟାଗଡ଼ ଜିଲ୍ଲାରେ ଆଜି ୩୯ମିମି ବର୍ଷା ହୋଇଛି । ଭଦ୍ରକରେ ୩୪, ବାଲେଶ୍ୱରରେ ୨୫.୬ ଓ ବାରିପଦାରେ ୧୭ମିମି ବର୍ଷା ହୋଇଛି ।

Get real time updates directly on you device, subscribe now.